ଯାଜପୁର, ୩୧/୧୦(ପିପିଟି): ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡି.ଆର.ଡି.ଏ. ସମ୍ମିଳନୀ କକ୍ଷଠାରେ ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ସପ୍ତାହ ଚଳିତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି। ଏହି ଅବସରରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ସଚେତନତା ରାଲି ବାହାରି କୁସୁମା ଦେଇ ଆମ୍ବେଦକର ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇଥିଲା। ଏହି ରାଲିରେ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟା ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।
ଆଜିର ସଭାରେ ଜିଲ୍ଲାପାଳ ଅମ୍ବର କୁମାର କର, ସଦର ଏସ.ଡି.ପି.ଓ. ପ୍ରଶାନ୍ତ କୁମାର ମାଝୀ, ଭିଜିଲାନ୍ସ ଡି.ଏସ.ପି. ସୁଶୀଲ କୁମାର ଏକ୍କା, ଭିଜିଲାନ୍ସ ଡି.ଏସ.ପି. ସୁଲୋଚନା ନାଏକ ଏବଂ ଅତିରିକ୍ତ ସି.ଡି.ଓ. ଲମ୍ବୋଦର ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।
ରାଷ୍ଟ୍ରୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଭାରତର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଦେଶର ଏକତା ବଜାୟ ରଖିବା ପାଇଁ “ଏକତା ଶପଥ” ପାଠ କରିଥିଲେ। ଏହାସହିତ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଗଠନ ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଦ୍ୱାରା “ଦୁର୍ନୀତି ନିବାରଣ ଶପଥ” (Vigilance Pledge) ମଧ୍ୟ ପାଠ କରାଯାଇଥିଲା, ଯେଉଁଥିରେ ଉପସ୍ଥିତ ସମସ୍ତ ଅଧିକାରୀ ଶପଥ ଗ୍ରହଣ କରିଥିଲେ।
ସଭାରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଅମ୍ବର କୁମାର କର କହିଥିଲେ ଯେ, ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟରେ ସ୍ୱଚ୍ଛତା, ସାଧୁତା ଏବଂ ଜନସେବାର ମନୋଭାବ ରହିଲେ ହିଁ ପ୍ରକୃତ ଗଣତନ୍ତ୍ର ସଫଳ ହୋଇଥାଏ। ଆମେ ସମସ୍ତେ ଜନସାଧାରଣଙ୍କ ସେବା ପାଇଁ କାର୍ଯ୍ୟ କରୁଛୁ ଏବଂ ଆମର ନିଷ୍ଠାପର ପରିଶ୍ରମ ଲୋକଙ୍କ ଜୀବନଧାରଣକୁ ସହଜ ଓ ସୁନ୍ଦର କରିଥାଏ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ସମୟରେ ନିଜର ନୈତିକତା ଓ ସଦାଚାର ବଜାୟ ରଖିବା ନିତାନ୍ତ ଆବଶ୍ୟକ। ଏହାସହ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଜିଲ୍ଲାପାଳ କହିଥିଲେ ଯେ, ଏହିଭଳି ବିତର୍କ ପ୍ରତିଯୋଗିତାରେ ଭାଗନେବା ଦ୍ୱାରା ଆଗାମୀ ଦିନରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତର ଲେଖିବା ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ।
ସେହିପରି ଭିଜିଲାନ୍ସ ଡି.ଏସ.ପି. ସୁଶୀଲ କୁମାର ଏକ୍କା ନିଜ ବକ୍ତବ୍ୟରେ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି। ବର୍ଷର ଆହୁରି ଦୁଇ ମାସ ବାକି ଥିବାରୁ ଦୁର୍ନୀତି ନିବାରଣ କ୍ଷେତ୍ରରେ ଆମର ଏହି ଅଭିଯାନ ଆହୁରି ଜୋରଦାର ହେବ। ଏହାସହିତ ସେ ଦୁର୍ନୀତିର ୯ଟି ମୁଖ୍ୟ ପ୍ରକାର—ଲାଞ୍ଚ କାରବାର, ଅର୍ଥ ଆତ୍ମସାତ୍, ସମ୍ପର୍କୀୟ ପ୍ରୀତି (ନେପୋଟିଜିମ୍), ପ୍ରିୟାପ୍ରୀତି ତୋଷଣ, ଜୋରଜବରଦସ୍ତ ଆଦାୟ (ଏକ୍ସଟୋରସନ୍), ଅନୈତିକ ଲାଭ, ପ୍ରତାରଣା/ଠକେଇ, ଅନୁଗ୍ରହ ପୋଷଣ ଏବଂ କ୍ଷମତାର ଅପବ୍ୟବହାର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ଚଳିତ ବର୍ଷର ପ୍ରସଙ୍ଗ – ସାଧୁତାରୁ ସମୃଦ୍ଧିକୁ ନେଇ ଜିଲ୍ଲାର ହାଇସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପୃଥକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆଜିର ଏହି ସଭାରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଆଜିର ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (SDIPRO) ଅଭିନାଶ ସାଗର ମଞ୍ଚ ପରିଚାଳନା କରିଥିଲେ।