ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀ;ଗଞ୍ଜାମକୁ ଅତିରିକ୍ତ ୨୦ କୋଟି ଟଙ୍କା ରିଲିଫ୍ ସହାୟତା ।
ବ୍ରହ୍ମପୁର,୩୦/୧୦(ପିପିଟି): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ହେଲିକପ୍ଟର ଯୋଗେ ଗଞ୍ଜାମ ଓ ପାଖ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ଭଞ୍ଜନଗର, ଧରାକୋଟ ଓ ସାନଖେମୁଣ୍ଡି ସମେତ ବିଭିନ୍ନ ପ୍ରଭାବିତ ଅଞ୍ଚଳର ବନ୍ୟା ସ୍ଥିତି ଓ କ୍ଷୟକ୍ଷତିକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଥିଲେ ।
ଆକାଶମାର୍ଗରୁ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରସ୍ଥିତ ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ ବଣ୍ଟନ, ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ସମ୍ପର୍କରେ ସମୀକ୍ଷା କରିଥିଲେ। ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି ଓ ବିଚ୍ଛିନ୍ନ ବିଦ୍ୟୁତ୍ ସେବାର ଶୀଘ୍ର ପୁନଃସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ,ଗତ ପାଞ୍ଚ ଦିନ ଧରି ଗଞ୍ଜାମର ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ଜିଲ୍ଲାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଜଳବନ୍ଦୀ ଅଞ୍ଚଳରେ ରହିଥିବା ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀର ଚାରିଟି ହେଲିକପ୍ଟର ନିୟୋଜିତ ହୋଇଛି। ଏହି ବିପର୍ଯ୍ୟୟର ମୁକାବିଲାରେ କେନ୍ଦ୍ର ସରକାରଙ୍କ ସହଯୋଗ ମିଳୁଛି । ସ୍ଥିତି ସ୍ୱାଭାବିକ ହେବା ପରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଗସ୍ତ କରିବେ। କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ ।
ବନ୍ୟା ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ଜରୁରିକାଳୀନ ସହାୟତା ପାଇଁ ଗଞ୍ଜାମ ଜିଲ୍ଲାକୁ ପୂର୍ବରୁ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଏବେ ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ରିଲିଫ୍ ବଣ୍ଟନ ଓ ଜରୁରିକାଳୀନ ସହାୟତା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।
ଜିଲ୍ଲାର ସମସ୍ତ ବନ୍ୟା ପ୍ରଭାବିତ ଗାଁରେ ଆଜି ରାତି ସୁଦ୍ଧା ରିଲିଫ୍ ସାମଗ୍ରୀ,ରନ୍ଧା ଖାଦ୍ୟ,ପାନୀୟ ଜଳ, କମ୍ବଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ୍ଗୁଡ଼ିକ ନିୟୋଜିତ ରହିଛନ୍ତି। ଏହି ଟିମ୍ଗୁଡ଼ିକ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବା ସହ ଦୁର୍ଗମ ଓ ବିଚ୍ଛିନ୍ନ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି ।
ଆଗାମୀ ଗୋଟିଏ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରଭାବିତ ଗାଁରେ ସ୍ଥିତି ସ୍ୱାଭାବିକ ହେବା ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଶା ପ୍ରକାଶ କରିଛନ୍ତି । ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ସହାୟତା ପହଞ୍ଚାଇବା ଏବଂ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।