ଛତ୍ରପୁର,୩୦/୧୦(ପିପିଟି): ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କୌଣସି ଅଞ୍ଚଳର ଜଣେ ହେଲେ ଲୋକ ଯେପରି ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ଓ ଅତ୍ୟାବଶ୍ୟକ ସେବା ଯୋଗାଣକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ।
ଏନେଇ ଆଜି ଅପରାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇ ବନ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ବଣ୍ଟନ ଓ ଜନସାଧାରଣଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିରନ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ସ୍ୱେଚ୍ଛାସେବୀମାନେ ମଧ୍ୟ ଏହି ମାନବୀୟ ସେବା କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି ।
ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଯାଇଛି । ବିଶେଷକରି ଆସିକା,ଭଞ୍ଜନଗର,ଧରାକୋଟ, ପୁରୁଷୋତ୍ତମପୁର,ଶେରଗଡ଼, ସୋରଡ଼ା ଓ ହିଞ୍ଜିଳିର ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ଡଙ୍ଗା ଯୋଗେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଯାଉଛି । ପ୍ରଭାବିତ ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହିସବୁ ଅଞ୍ଚଳରେ ରାତିରେ ମଧ୍ୟ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା କରାଯାଇଛି । କୌଣସି ପରିସ୍ଥିତିରେ ଯେପରି କେହି ଭୋକିଲା ନ ରହନ୍ତି, ସେଥିପ୍ରତି କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ଅଞ୍ଚଳରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ବିଡିଓ ଓ ତହସିଲଦାରମାନେ ତୁରନ୍ତ ଅବଗତ କରାଇଲେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଆୟୁକ୍ତ ଓ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ପାନୀୟ ଜଳର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଟ୍ରକ୍ ପାଣି ବୋତଲ ଏବଂ ବବଲ୍ ଟପ୍ ଜାର ପଠାଯାଉଛି। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରାଯାଇପାରିବ ।
ବନ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟର ସୁସମନ୍ୱୟ ପାଇଁ କ୍ଷେତ୍ର ପରିଦର୍ଶନରେ ଯାଉଥିବା ଅଧିକାରୀମାନେ ନିଜର ଅବସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିୟନ୍ତ୍ରଣ କକ୍ଷକୁ ନିୟମିତ ସୂଚନା ଦେବାକୁ କୁହାଯାଇଛି । ଯେଉଁ ଅଞ୍ଚଳରେ ବନ୍ୟାଜଳ କମିଯାଇଛି ଏବଂ ଉଦ୍ଧାର କାର୍ଯ୍ୟର ଆବଶ୍ୟକତା ହ୍ରାସ ପାଇଛି, ସେଠାରେ ନିୟୋଜିତ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ଗୁଡ଼ିକୁ ଅଧିକ ଆବଶ୍ୟକତା ଥିବା ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି ।
ଏଥିସହ ଯେକୌଣସି ସମସ୍ୟା କିମ୍ବା ଅତିରିକ୍ତ ସହାୟତାର ଆବଶ୍ୟକତା ଦେଖାଦେଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସ୍ଥାନୀୟ ଅଧିକାରୀମାନେ ନିଜ ସ୍ତରରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆୟୁକ୍ତ ଓ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଏହି ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନ ସହିତ ସମସ୍ତେ ମିଶି ସମସ୍ତଙ୍କୁ ସହଯୋଗ କରିବା ପାଇଁ ସାମାଜିକ ସଂଗଠନ ଓ ସ୍ବେଚ୍ଛାସେବୀମାନଙ୍କୁ ଅନୁରୋଧ କରାଯାଉଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,ବିଡିଓ ଓ ତହସିଲଦାର ମାନେ ଯୋଗଦେଇଥିଲେ ।