ବିଦ୍ରୋହୀ ବିଜେଡି ବିଧାୟକଙ୍କ ଅଡ଼ୁଆ ବଢ଼ିଲା, ୫ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍ ।

0 2

କଟକ, ୨୯/୧୦(ପିପିଟି): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ବିଜେଡିର ପାଞ୍ଚ ଜଣ ବିଧାୟକଙ୍କ ଅଡ଼ୁଆ ବଢ଼ିଛି। ସେମାନଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଗୁରୁବାର ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ, ଏହା ପୂର୍ବରୁ ନିଜ ନିଜର ପକ୍ଷ ରଖି ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଶୁଣାଣି ସମୟରେ ବାଚସ୍ପତିଙ୍କ ନିକଟରେ ଦାଖଲ ହୋଇଥିବା ସାନି ଆବେଦନର ବୈଧତା ପ୍ରସଙ୍ଗ ମୁଖ୍ୟତଃ ଉଠିଥିଲା। ବାଚସ୍ପତିଙ୍କ ପକ୍ଷରୁ ହାଜର ହୋଇଥିବା ଆଡ୍ଭୋକେଟ୍ ଜେନେରାଲ ଯୁକ୍ତି ଦର୍ଶାଇଥିଲେ ଯେ, ସଭ୍ୟପଦ ରଦ୍ଦ ସମ୍ପର୍କରେ ବାଚସ୍ପତି ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ଏକ ନ୍ୟାୟିକ ପ୍ରକ୍ରିୟାର ଅଂଶ ହୋଇଥିବାରୁ ତାହାର ପୁନର୍ବିଚାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡିର ଆଠ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ପରେ ଦଳ ପକ୍ଷରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ତେବେ ବାଚସ୍ପତି ଏହି ଆବେଦନକୁ ବୈଷୟିକ କାରଣ ଦର୍ଶାଇ ଖାରଜ କରିଦେଇଥିଲେ। ଏହା ପରେ ବିଜେଡି ପକ୍ଷରୁ ଉକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସେମାନେ କେବଳ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିଛନ୍ତି।

Leave A Reply

Your email address will not be published.