ମାଲକାନଗିରିରେ ସଫଳ ବାତ୍ୟା ମୁକାବିଲା ।

0 0

ମାଲକାନଗିରି,୨୯/୧୦(ପିପିଟି): ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ମାଲକାନଗିରି ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ସୁଚିନ୍ତିତ ପଦକ୍ଷେପ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସୁଦୃଢ଼ ନେତୃତ୍ୱରେ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ଜନଜୀବନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇପାରିଛି। ଆପାତକାଳୀନ ସ୍ଥିତିର ପରିଚାଳନା ଠାରୁ ଆରମ୍ଭ କରି ନିରବଚ୍ଛିନ୍ନ ସେବା ଯୋଗାଣ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତଦାରଖ କରିବାରେ ଜିଲ୍ଲାପାଳ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି।
ଲୋକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସର୍ବମୋଟ ୧୫,୪୭୭ ଜଣଙ୍କୁ ଆଗୁଆ ଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ ଥିବା ୨୧୮ଟି ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇ ୨୯୮ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦୩ଟି ଆନୁଷ୍ଠାନିକ ପ୍ରସବ ସଫଳତାର ସହ ସମ୍ପନ୍ନ ହୋଇଛି, ଯାହାକି ପ୍ରଶାସନର ମାନବିକ ଦୃଷ୍ଟିକୋଣକୁ ଦର୍ଶାଉଛି। ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ୨୫୪.୨୪ ମିଲିମିଟର ଏବଂ ହାରାହାରି ୩୬.୨୨ ମିଲିମିଟର ବୃଷ୍ଟିପାତ ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନ କେତେକ ସ୍ଥାନରେ କେବଳ ଝିପିଝିପି ବର୍ଷା ଲାଗି ରହିଛି। ସୁବ୍ୟବସ୍ଥିତ ପରିଚାଳନା ଯୋଗୁଁ ଜିଲ୍ଲାରେ ସାର୍ବଜନୀନ ଭିତ୍ତିଭୂମିର କୌଣସି କ୍ଷୟକ୍ଷତି ହୋଇନାହିଁ। ଯେଉଁ କେତେକ ସ୍ଥାନରେ ଗଛଡ଼ାଳ ଭାଙ୍ଗି ପଡ଼ିଥିଲା, ଅଗ୍ନିଶମ ବାହିନୀ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତାହାକୁ ହଟାଇ ଯୋଗାଯୋଗ ବ୍ୟବସ୍ଥାକୁ ତୁରନ୍ତ ସୁଗମ କରାଯାଇପାରିଛି।ପରିସ୍ଥିତି ଶାନ୍ତ ପଡ଼ିବା ପରେ ଏବେ ଜିଲ୍ଲା ପ୍ରଶାସନ ବିଶେଷ କରି ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବର୍ଷା ଯୋଗୁଁ ହୋଇଥିବା ସମ୍ଭାବ୍ୟ ଫସଲ କ୍ଷୟକ୍ଷତିର ତ୍ୱରିତ ଆକଳନ ନିମନ୍ତେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ଜିଲ୍ଲାପାଳ ଏବଂ ଜରୁରୀକାଳୀନ ବିଭାଗୀୟ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ର ସମୀକ୍ଷା ଆରମ୍ଭ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମାନୁଯାୟୀ ଯଥାଶୀଘ୍ର ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। କୌଣସି ପରିସ୍ଥିତିରେ ଜିଲ୍ଲାବାସୀ ତଥା ଚାଷୀ ଭାଇମାନଙ୍କ ଅସୁବିଧା ହେବାକୁ ଦିଆଯିବ ନାହିଁ ଏବଂ ପ୍ରଶାସନ ସେମାନଙ୍କ ସହ ସର୍ବଦା ଛିଡ଼ା ହୋଇଛି ବୋଲି ବାର୍ତ୍ତା ଦିଆଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.