ବାତ୍ୟା ଅର୍ଣ୍ଣବ ପରେ ବି ବର୍ଷା ତାଣ୍ଡବ: ଗଞ୍ଜାମ, ଗଜପତିରେ ଜଳବନ୍ଦୀ, ଉଦ୍ଧାରରେ ୨୨୮ ଟିମ୍ ।

0 3

ଭୁବନେଶ୍ୱର, ୨୯/୧୦(ପିପିଟି): ବାତ୍ୟା ଅର୍ଣ୍ଣବର ପ୍ରଭାବ କମିଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ଗୁରୁତର ହୋଇଛି। ଅନେକ ତଳିଆ ଅଞ୍ଚଳରେ ଲୋକେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଅଗ୍ନିଶମ ବାହିନୀ। ଅଗ୍ନିଶମ ବିଭାଗର ଆଇଜି ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ମୋଟ ୨୨୮ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜଳମଗ୍ନ ସ୍ଥାନରୁ ୧୦୦ରୁ ଅଧିକ ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରୁ ଅତିରିକ୍ତ ଟିମ୍ ଗଞ୍ଜାମକୁ ପଠାଯାଇଛି। ଗୁରୁବାର ସକାଳେ ୧୦ରୁ ଅଧିକ ଟିମ୍ ଗଞ୍ଜାମରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଜଳବନ୍ଦୀ ଅଞ୍ଚଳ ଉପରେ ନଜର ରଖାଯାଇଛି। ଜଳମଗ୍ନ ସ୍ଥାନକୁ ଅନାବଶ୍ୟକ ଭାବେ ନଯିବା ଏବଂ ସତର୍କ ରହିବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବାବେଳେ ପାଣିପାଗ ବିଭାଗ ସହ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

Leave A Reply

Your email address will not be published.