ବେଗୁନିଆପଡ଼ା,୨୪/୧୦(ପିପିଟି): ପଞ୍ଚାୟତର ବିକାଶ କାର୍ଯ୍ୟରେ ଯନ୍ତ୍ରୀ ବାଧକ ସାଜିଥିବା ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କଳିମେଘି ପଞ୍ଚାୟତ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପଡ଼ିଲେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଯନ୍ତ୍ରୀମାନେ ସହଯୋଗ କରୁନାହାନ୍ତି। ପୂର୍ବରୁ କରାଯାଇଥିବା କାମର ବିଲ ପୈଠ ହେଉନଥିବା ବେଳେ ନୂଆ କାମ ମଧ୍ୟ ଦିଆଯାଉନାହିଁ। ଏପରିକି ବିଧାୟକଙ୍କ ଇଚ୍ଛା ନଥିବାରୁ ପଞ୍ଚାୟତକୁ ଯିବେ ନାହିଁ ବୋଲି ଯନ୍ତ୍ରୀ କହୁଥିବା ସେ ଅଭିଯୋଗ କରିଛନ୍ତି। ଅର୍ଚ୍ଚନା କହିଛନ୍ତି, “ସରପଞ୍ଚ ଭାବେ ମୁଁ ନିର୍ଦଳୀୟ ଭାବେ ନିର୍ବାଚିତ ହୋଇଛି। ମୋର ଲକ୍ଷ୍ୟ ହେଉଛି ଲୋକଙ୍କ ସେବା ଓ ପଞ୍ଚାୟତର ବିକାଶ। କିନ୍ତୁ ଆମକୁ କାମ କରିବାକୁ ଦିଆଯାଉନାହିଁ। ବିଧାୟକ ଜନସାଧାରଣଙ୍କ ପାଇଁ କାମ କରିବେ ନା ଯନ୍ତ୍ରୀଙ୍କ ସହ ସଲାସୁତୁରା ରହିବେ, ତାହା ସ୍ପଷ୍ଟ ହେବା ଦରକାର।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏଯାଏଁ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ। ଅନ୍ୟପଟେ, ଦୁଇ ବର୍ଷ ଧରି GPDP ଦାଖଲ କରିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ଉନ୍ନତି ହୋଇନଥିବାରୁ ଚଳିତ ବର୍ଷ ଏହା ଦାଖଲ କରିବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି। “ପଞ୍ଚାୟତରେ କାମ ହେଉନାହିଁ, ତେବେ GPDP ଦାଖଲ କରି କ’ଣ ଲାଭ?” ବୋଲି ପ୍ରଶ୍ନ କରିବା ସହ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ।