ରେଙ୍ଗାଲିକ୍ୟାମ୍ପ, ୨୨/୧୦(ପିପିଟି): ଶାରଦୀୟ ଦୁର୍ଗାପୂଜା କେବଳ ମୃଣ୍ମୟୀ ପ୍ରତିମାରେ ଆଦ୍ୟାଶକ୍ତିଙ୍କ ଆବାହନ ନୁହେଁ, ବରଂ ସମାଜରେ ନାରୀଶକ୍ତିର ଜୟଗାନ ଓ ସୁପ୍ତ ପ୍ରତିଭାର ବିକାଶର ଏକ ପବିତ୍ର ପର୍ବ। ଏହି ବାର୍ତ୍ତାକୁ ପାଥେୟ କରି ସ୍ଥାନୀୟ ଅତାବିରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଚାରି ଦିନ ଧରି ଚାଲିଥିବା ମାଁ ଶାରଦୀୟ ଦୁର୍ଗା ପୂଜା ମହୋତ୍ସବ ବେଶ୍ ଧୂମଧାମ ଓ ଚଳଚଞ୍ଚଳ ପରିବେଶ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି। ମାଁଙ୍କ ଆଧ୍ୟାତ୍ମିକ ଆରାଧନା ସହିତ କୁନି କୁନି ଝିଅ ଓ ଯୁବତୀମାନଙ୍କ ଭିତରେ ଥିବା ସୃଜନଶୀଳ କଳା, ନୃତ୍ୟ ଏବଂ ନାରୀ ପ୍ରତିଭାକୁ ସମ୍ମାନ ଜଣାଇବା ଏହି ମହୋତ୍ସବକୁ ଅଧିକ ଜୀବନ୍ତ ଓ ଅର୍ଥପୂର୍ଣ୍ଣ କରିତୋଳିଥିଲା।
ଉତ୍ସବର ପ୍ରଥମ ଦିବସରେ ବିଧାୟକ ନିହାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ୫ରୁ ୧୦ ବର୍ଷ ବୟସର ଶିଶୁ କଳାକାରମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସେ ନିଜେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରିବା ସହ କୃତୀ ପ୍ରତିଭାଧାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଦିନ ୧୦ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ମଧ୍ୟରେ କବିତା ପାଠ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସେହିପରି ତୃତୀୟ ଦିବସରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ବଜରଙ୍ଗ ଦଳର ପୂର୍ବତନ ରାଜ୍ୟ ସଭାପତି ସୁଧୀର ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଦିନ ୫ରୁ ୧୦ ବର୍ଷ ବୟସ ବର୍ଗର ଶିଶୁମାନଙ୍କ ମଧ୍ୟରେ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଚତୁର୍ଥ ଦିନରେ କେନ୍ଦ୍ରୀୟ ହିନ୍ଦୁ ମହାସଭା ଓ ବଜରଙ୍ଗ ଦଳ (ପଶ୍ଚିମ ଓଡ଼ିଶା ଦାୟିତ୍ୱ)ର ରାଜ୍ୟ ସଭାପତି ଅଶ୍ୱିନୀ ମେହେର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ୭୪୦ରୁ ଊର୍ଦ୍ଧ୍ୱ ଗୀତ ରେକର୍ଡ କରି ସୁନାମ ଅର୍ଜନ କରିଥିବା ସମ୍ବଲପୁରର ପ୍ରସିଦ୍ଧ ‘ରଙ୍ଗବତୀ’ କଣ୍ଠଶିଳ୍ପୀଙ୍କ ସମେତ ଅନ୍ୟାନ୍ୟ ପ୍ରତିଭାଧାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟପକ୍ଷରେ, ଉତ୍ସବ ଅବସରରେ କନିଷ୍ଠ (୧୦ ବର୍ଷ ପର୍ଯ୍ୟନ୍ତ) ଓ ବରିଷ୍ଠ (୧୧ ବର୍ଷରୁ ଊର୍ଦ୍ଧ୍ୱ) ବର୍ଗରେ ଏକ ଆକର୍ଷଣୀୟ ଫ୍ୟାଶନ୍ ସୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।
ଏହି ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ରବି ଥପା, ସଂଯୁକ୍ତା ମିଶ୍ର, ଖିରେଶ୍ୱରି ସ୍ୱାଇଁ, ଅର୍ଚ୍ଚନା ବାଗ, ସୁଷମାରାଣୀ ବାଗ, ରୂପେଶ ମେହେର, ଦେବେନ ମିଶ୍ର ଓ ଗୋପୀ ନାୟର, ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। କାର୍ଯ୍ୟକ୍ରମକୁ ସତ୍ୟ ମିଶ୍ର, କୌଶିକ ମହାକୁଡ଼,
ସଞ୍ଜୟ ସାହୁ, ରାଜୁ, ରବି ଭୋଇ, ଲିଙ୍ଗରାଜ ମଲ୍ଲିକ,, ମନୋଜ ସୁନା, ପ୍ରଦୀପ ମଲ୍ଲିକ, ଓ ପ୍ରହଲ୍ଲାଦ ଉର୍ମା ପ୍ରମୁଖ ପରିଚାଳନା ଓ ସହଯୋଗ କରି ସଫଳ କରିଥିଲେ। ପୂଜା ଅବସରରେ ପ୍ରତିଦିନ ସହସ୍ରାଧିକ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ମହାଆରତୀ ଓ ମୂର୍ତ୍ତି ଭୋଗ ଅର୍ପଣ କରାଯାଇଥିଲା।