କୋଦଳା,୨୩/୧୦(ପିପିଟି ):ଗାଁର ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା, ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ତାଳସର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅର୍ଥ ଖର୍ଚ୍ଚ ହେଉଥିବା ସତ୍ତ୍ୱେ ପଞ୍ଚାୟତର ସଫେଇ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ, ପଞ୍ଚାୟତ ଉପରେ ନିର୍ଭର ନକରି ହଂସତୂଳୀ ଗ୍ରାମବାସୀ ନିଜ ଉଦ୍ୟମରେ ସଫେଇ କରିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଛି। ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ମେରୀ ପଞ୍ଚାୟତ ଆପର ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ସଫେଇ ବାବଦରେ ୨ ଲକ୍ଷ ୪୪ ହଜାର ୮୭୬ ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୧ ଲକ୍ଷ ୫ ହଜାର ୮୩୨ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଦୁଇ ବର୍ଷରେ ମୋଟ ୩ ଲକ୍ଷ ୫୦ ହଜାର ୭୦୮ ଟଙ୍କା ଖର୍ଚ୍ଚ ଉଲ୍ଲେଖ ରହିଛି। ତେବେ ଏତେ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ରହିବାକୁ ନେଇ ପଞ୍ଚାୟତର ସଫେଇ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି। ତାଳସର ପଞ୍ଚାୟତର ସମସ୍ତ ଗ୍ରାମରେ ନିୟମିତ ସଫେଇ କରିବା ଓ ଅଳିଆ ଆବର୍ଜନାର ସଠିକ୍ ପରିଚାଳନା ପାଇଁ ଦାବି ହୋଇଛି। ସଫେଇ ପାଇଁ ଯେତେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି, ସେତେବେଳେ ଗାଁକୁ ସଫା ରଖିବା ପାଇଁ ଲୋକଙ୍କୁ ନିଜେ କାହିଁକି ଅଣ୍ଟା ଭିଡ଼ିବାକୁ ପଡ଼ୁଛି, ଏହାର ଉତ୍ତର ଏବେ ତାଳସର ପଞ୍ଚାୟତବାସୀ ଅପେକ୍ଷା କରିଛନ୍ତି।