ବ୍ରହ୍ମପୁର,୧୫/୧୦(ପିପିଟି): ଋଷିକୁଲ୍ୟା ମୁହାଣ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ଓ ସୁଦୃଢ଼ କରିବା ସହ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଦିଗରେ ସେମାନଙ୍କ ଅବଦାନକୁ ଉତ୍ସାହିତ କରିବା ଲକ୍ଷ୍ୟରେ ବନବିଭାଗ ପକ୍ଷରୁ ଏକ୍ରିକ୍ର ସହାୟତାରେ ଇନସୁଲେଟେଡ୍ ଆଇସ୍ ବକ୍ସ ବଣ୍ଟନ କରାଯାଇଛି ।
ପୁରୁଣାବନ୍ଧଠାରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ସାହୁ ଓ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବିଦତ୍ତ ମହାନ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ଦୁଇଜଣ ମତ୍ସ୍ୟଚାଷୀଙ୍କୁ ରଙ୍ଗୀନ ମାଛ ଚାଷ ପାଇଁ ୬୪ ହଜାର ୯୬୪ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏଥିସହ ପୁରୁଣାବନ୍ଧ,ପ୍ରୟାଗୀ, କଲରାବାଡ଼ି,ପାଲିବନ୍ଧ,ନୂଆ ପୋଡ଼ମପେଟା ଓ ଗୋଖରକୁଦା ଗ୍ରାମର ୧୨୦ ଜଣ ମତ୍ସ୍ୟଜୀବୀଙ୍କୁ ଦୁଇଟି ଲେଖାଏଁ ଇନସୁଲେଟେଡ୍ ଆଇସ୍ ବକ୍ସ ପ୍ରଦାନ କରାଯାଇଥିଲା ।
ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷାରେ ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନଙ୍କ ଜୀବିକାର ସୁରକ୍ଷା ସହ ଜୀବିକା ଓ ପରିବେଶ ସଂରକ୍ଷଣ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଏକ୍ରିକ୍ ସଂଯୋଜକ ରଞ୍ଜନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଖଲ୍ଲିକୋଟ ରେଞ୍ଜର କୁଲେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବନବିଭାଗ ଓ ଏକ୍ରିକ୍ର କର୍ମଚାରୀଙ୍କ ସହ ସ୍ଥାନୀୟ କ୍ଲାଇମେଟ୍ ଚାମ୍ପିଅନ୍ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।