ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଟ୍ରାଏଲ୍ ଉପରେ ରୋକ୍

0 1

ନୂଆଦିଲ୍ଲୀ,୧୩/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତରେ ମାମଲାର ବିଚାର ପ୍ରକ୍ରିୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଏହି ମାମଲାରେ ରାହୁଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ସମ୍ପୃକ୍ତ ପକ୍ଷଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଛି।
ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଅପରେଶ କୁମାର ସିଂହଙ୍କ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ମାଜିଷ୍ଟ୍ରେଟ୍ କୋର୍ଟ ଜାରି କରିଥିବା ସମନକୁ ରଦ୍ଦ କରିବା ପାଇଁ ରାହୁଲ ଆବେଦନ କରିଥିଲେ।
ଅଭିଯୋଗ ଅନୁଯାୟୀ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ‘ଚୋରୋଁ କେ ସରଦାର’ ଓ ‘କମାଣ୍ଡର ଇନ୍ ଥିଫ୍’ ଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ମହେଶ ଶ୍ରୀଶ୍ରୀମାଲ ମାନହାନି ଅଭିଯୋଗ ଆଣି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ଏଭଳି ମନ୍ତବ୍ୟ ଦ୍ୱାରା ବିଜେପି ଓ ଏହାର କାର୍ଯ୍ୟକର୍ତ୍ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ବମ୍ବେ ହାଇକୋର୍ଟ ଏହି ମାମଲାରେ ନିମ୍ନ ଅଦାଲତର ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ସଦ୍ୟ ଆଦେଶ ଫଳରେ ମାମଲାର ବିଚାର ପ୍ରକ୍ରିୟା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲାଗୁ ହୋଇଛି।

Leave A Reply

Your email address will not be published.