ପୋଷ୍ଟରରୁ ଡିଜିଟାଲ୍ ଲଢ଼େଇ, ଛାତ୍ର ନିର୍ବାଚନରେ ହାଇଟେକ୍ ପ୍ରଚାର ।

0 6

ଭୁବନେଶ୍ୱର, ୧୩/୧୦(ପିପିଟି): ପୋଷ୍ଟର ରାଜନୀତି ସାଙ୍ଗକୁ ପୋଷ୍ଟର ଲଗାଇବାକୁ ନେଇ କଳି। ସୋସିଆଲ୍ ମିଡିଆରେ ପ୍ରଚାର ଲଢ଼େଇ ସାଙ୍ଗକୁ ହାଇଟେକ୍ କ୍ୟାମ୍ପେନ୍। ଏଭଳି ନୂଆ ଢଙ୍ଗର ପ୍ରଚାରକୁ ନେଇ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ସରଗରମ ହୋଇଛି। ରାଜଧାନୀର ରାସ୍ତାଘାଟ, ଟ୍ରାଫିକ୍ ଛକ, କଲେଜ ଗେଟ୍ ଓ କ୍ୟାମ୍ପସରେ ଛାଇ ଯାଇଛି ପ୍ରାର୍ଥୀଙ୍କ ପୋଷ୍ଟର ଓ ବ୍ୟାନର। କେଉଁଠି ବିଶାଳକାୟ ପୋଷ୍ଟର ତ ଆଉ କେଉଁଠି ଛୋଟ ଛୋଟ ପୋଷ୍ଟରରେ ଭରିଯାଇଛି କାନ୍ଥ। ପ୍ରାର୍ଥୀଙ୍କ ହାତଯୋଡ଼ା ଫଟୋ, ସଂଗଠନର ରଙ୍ଗ ଓ ଚିହ୍ନ ସହ ଦଳୀୟ ନେତାଙ୍କ ଫଟୋ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରତିଯୋଗିତା। ତେବେ ପ୍ରଚାର ଭିତରେ ପୋଷ୍ଟର ଲଗାଇବାକୁ ନେଇ ବିବାଦ ମଧ୍ୟ ଚର୍ଚ୍ଚାକୁ ଆସିଛି। ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କ୍ୟାମ୍ପସରେ ପୋଷ୍ଟରକୁ ନେଇ ହେଉଥିବା ବିବାଦ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପ୍ରାର୍ଥୀଙ୍କ ସମର୍ଥକମାନେ ଯେତେ ଅଧିକ ପୋଷ୍ଟର ଲଗାଇବେ, ସେତେ ଅଧିକ ଭୋଟ୍ ମିଳିବ ବୋଲି ଧାରଣା ରଖି ବିଭିନ୍ନ ସ୍ଥାନରେ ପାଖାପାଖି ପୋଷ୍ଟର ଲଗାଉଛନ୍ତି। କଲେଜ ଗେଟ୍, ଗଛ, ସାଇକେଲ୍ ଷ୍ଟାଣ୍ଡ, ଖେଳପଡ଼ିଆ ଓ ଆଖପାଖ ଅଞ୍ଚଳରେ ବ୍ୟାନର ଓ ପୁସିଂ କାର୍ଡ ଲଗାଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଦେବରାୟ କଲେଜ ଓ ରାଜଧାନୀ କଲେଜ ଭଳି ଶିକ୍ଷାନୁଷ୍ଠାନରେ ପ୍ରଚାରର ମାହୋଲ ଜମିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ପୁସିଂ କାର୍ଡ ଦେଇ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଅକ୍ଟୋବର ୧୪ରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ ଏବଂ ୧୫ ତାରିଖରେ ମତଦାନ ଧାର୍ଯ୍ୟ ହୋଇଥିବାରୁ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି।
ଏଥର ଛାତ୍ର ନିର୍ବାଚନର ପ୍ରଚାର ଶୈଳୀରେ ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଡିଜିଟାଲ୍ ମାଧ୍ୟମର ବ୍ୟାପକ ବ୍ୟବହାର। ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମେରା ଓ ଯୋଗାଯୋଗ ଟିମ୍ ନିୟୋଜିତ ହେଉଛନ୍ତି। ପ୍ରାର୍ଥୀ କ୍ୟାମ୍ପସକୁ ଯିବାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ସମର୍ଥକଙ୍କ ସହ ପ୍ରଚାର ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଉଛି। ଡ୍ରୋନ୍ ଓ ଗିମ୍ବଲ୍ରେ ସିନେମାଟିକ୍ ଶୈଳୀରେ ଭିଡିଓ ପ୍ରସ୍ତୁତ କରାଯାଇ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରାଯାଉଛି। ଏହି ଭିଡିଓ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରଚାରର ଏହି ଶୈଳୀ ଅନେକ କ୍ଷେତ୍ରରେ ରାଜନୈତିକ ନେତାଙ୍କ ନିର୍ବାଚନୀ ପ୍ରଚାରକୁ ମଧ୍ୟ ମନେ ପକାଇ ଦେଉଛି।
ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ଭଳି ସଂଗଠନଗୁଡ଼ିକ ଡିଜିଟାଲ୍ ପ୍ରଚାରରେ ପରସ୍ପରକୁ ଟକ୍କର ଦେଉଛନ୍ତି। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାଁ ସହ ସଂଗଠନର ନାଁ ଯୋଡ଼ି ସ୍ୱତନ୍ତ୍ର ଫେସବୁକ୍ ପେଜ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲାଯାଇଛି। ପ୍ରତିଦିନର ପ୍ରଚାର, ବୈଠକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନାର ଦୃଶ୍ୟ ଏଥିରେ ପ୍ରକାଶ କରାଯାଉଛି। ଅଧିକ ଲୋକଙ୍କ ପାଖରେ ପୋଷ୍ଟ ପହଞ୍ଚାଇବା ପାଇଁ ଅର୍ଥ ଖର୍ଚ୍ଚ କରି ଡିଜିଟାଲ୍ ପ୍ରଚାରକୁ ମଧ୍ୟ ଆଗକୁ ନିଆଯାଉଛି। ଏପରିକି ପ୍ରତିପକ୍ଷ ପ୍ରାର୍ଥୀ ଓ ସଂଗଠନକୁ ସମାଲୋଚନା କରିବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପାରମ୍ପରିକ ପୋଷ୍ଟର ଓ ପୁସିଂ କାର୍ଡ ସହ ଡିଜିଟାଲ୍ ପ୍ରଚାର ଛାତ୍ର ନିର୍ବାଚନର ନୂଆ ଚେହେରା ହୋଇ ଉଭା ହୋଇଛି।

Leave A Reply

Your email address will not be published.