ଧର୍ମଶାଳା, ୧୨/୧୦(ପିପିଟି): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ମୋଟ ସାତଟି ସ୍ଥାନରେ ଏହି ଯାଞ୍ଚ ଚାଲିଛି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ତିନିଜଣ ଅତିରିକ୍ତ ଏସ୍ପି, ଚାରିଜଣ ଡିଏସ୍ପି, ନଅଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମର ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନିମହଲା କୋଠା ଏବଂ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଥିବା ଦୁଇମହଲା କୋଠା ସମେତ ଅନ୍ୟ ଏକ କୋଠାରେ ଯାଞ୍ଚ କରାଯାଉଛି। ଏହା ସହିତ ଗଞ୍ଜାମ ଜିଲ୍ଲା ବୁରୁଝରୀରେ ଥିବା ଜଣେ ଆତ୍ମୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରି ଅନ୍ତର୍ଗତ ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକାସ୍ଥିତ ଭଡ଼ାଘର ଏବଂ ସେଠାରେ ଥିବା କାର୍ଯ୍ୟାଳୟରେ ମଧ୍ୟ ତଲାସୀ ଜାରି ରହିଛି। ଚଢ଼ାଉ ସମୟରେ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର, ଆର୍ଥିକ କାରବାର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ଜୟଦେବ ଜେନାଙ୍କ ମୋଟ ସମ୍ପତ୍ତି, ଆୟ ଓ ବ୍ୟୟର ହିସାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।