ସ୍ଲୋଗାନ୍ରେ କମ୍ପୁଛି କଲେଜ କ୍ୟାମ୍ପସ୍, ଛାତ୍ର ଭୋଟରଙ୍କୁ ଆକର୍ଷିତ କରିବାକୁ ନୂଆ ରଣନୀତି ।

0 0

ଭୁବନେଶ୍ୱର,୧୨/୧୦(ପିପିଟି) : ‘ଛାତ୍ର ଶକ୍ତି, ରାଷ୍ଟ୍ର ଶକ୍ତି’, ‘ଛାତ୍ରଙ୍କ ସ୍ୱର, ଛାତ୍ରଙ୍କ ଶକ୍ତି—ଏବିଭିପି ଆମ ପ୍ରଗତି’, ‘ଷ୍ଟୁଡେଣ୍ଟସ୍ ଭଏସ୍, ଆୱାର ଷ୍ଟ୍ରେଙ୍ଗ୍ଥ୍’ ଏବଂ ‘ନବୀନ ଚିନ୍ତାଧାରା, ନବୀନ ନେତୃତ୍ୱ, ନବୀନ ସଂକଳ୍ପ’। ଏଭଳି ଆକର୍ଷଣୀୟ ସ୍ଲୋଗାନ୍ରେ ଏବେ ସରଗରମ ହୋଇଉଠିଛି କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍। ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ସ୍ଲୋଗାନ୍, ପୋଷ୍ଟର ଓ ସୋସିଆଲ୍ ମିଡିଆକୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି ପ୍ରାର୍ଥୀ। ଏପରିକି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସହାୟତାରେ ଆକର୍ଷଣୀୟ ଭିଡିଓ ପ୍ରସ୍ତୁତ କରି ପ୍ରଚାରକୁ ନୂଆ ରୂପ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇବା ଏବଂ ସେମାନଙ୍କ ମନ ଜିଣିବା ପାଇଁ ସ୍ଲୋଗାନ୍ ଏକ ପ୍ରଭାବଶାଳୀ ମାଧ୍ୟମ ପାଲଟିଥିବା ପ୍ରାର୍ଥୀମାନେ କହୁଛନ୍ତି।
ରବିବାରଠାରୁ ରାଜଧାନୀର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରଚାର ଅଭିଯାନ ଜୋର ଧରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରାଜଧାନୀ କଲେଜ, ବିଜେବି କଲେଜ, ଦେବରାୟ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ଓ ଏକାମ୍ର କଲେଜରେ ବିଭିନ୍ନ ଛାତ୍ର ସଂଗଠନ ସମର୍ଥିତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିଛନ୍ତି। କ୍ୟାମ୍ପସ୍ର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଫଟୋ, ନିର୍ବାଚନୀ ବାର୍ତ୍ତା ଓ ଆକର୍ଷଣୀୟ ସ୍ଲୋଗାନ୍ ଥିବା ପୋଷ୍ଟର ଲାଗିଛି। କେତେକ ପ୍ରାର୍ଥୀ ଓଡ଼ିଆ ଭାଷାରେ ସ୍ଲୋଗାନ୍ ଦେଉଥିବା ବେଳେ ଅନ୍ୟମାନେ ଇଂରାଜୀ ବାକ୍ୟ ମାଧ୍ୟମରେ ନିଜର ପ୍ରଚାରକୁ ଆକର୍ଷଣୀୟ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟା, ଅଧିକାର, ସମ୍ମାନ ଓ ଶିକ୍ଷାନୁଷ୍ଠାନର ବିକାଶକୁ ପ୍ରଚାରର ପ୍ରମୁଖ ପ୍ରସଙ୍ଗ କରାଯାଇଛି।
ଏବିଭିପି ସମର୍ଥିତ ଜଣେ ପ୍ରାର୍ଥୀଙ୍କ ପୋଷ୍ଟରରେ ‘ଛାତ୍ର ଶକ୍ତି ଏ ଯୁବ ମୁକ୍ତିର, ଆସିଛି ନୂତନ ତପନ ଉଇଁ, ଅଗ୍ରଗାମୀ ସେ ବ୍ୟଗ୍ର ପଥିକ, ନାଇଁ ନାହିଁ କେବେ ନଇଁବ ନାହିଁ’ ସ୍ଲୋଗାନ୍ ସ୍ଥାନ ପାଇଛି। ଅନ୍ୟପକ୍ଷରେ, ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟରରେ ‘ଷ୍ଟୁଡେଣ୍ଟସ୍ ଭଏସ୍, ଆୱାର ରେସପନ୍ସିବିଲିଟି’, ‘ଚେଞ୍ଜ୍ ଇଜ୍ ପସିବଲ୍, ଟୁଗେଦର ଉଇ କ୍ୟାନ୍’ ଭଳି ସ୍ଲୋଗାନ୍ ଦେଖିବାକୁ ମିଳୁଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ‘ଦୁଇଟି ନାମ, ଗୋଟିଏ ସଂକଳ୍ପ—ଛାତ୍ର ସ୍ୱାର୍ଥ, ଛାତ୍ରଙ୍କ ସମ୍ମାନ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନତି’ ଏବଂ ‘ଛାତ୍ରଙ୍କ ସ୍ୱର, ଛାତ୍ରଙ୍କ ଶକ୍ତି, ଏନ୍ଏସ୍ୟୁଆଇ ଦେବ ବାସ୍ତବ ପ୍ରଗତି’ ଭଳି ବାର୍ତ୍ତା ମଧ୍ୟ ପ୍ରଚାରରେ ସାମିଲ ହୋଇଛି। ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀମାନେ ‘ମେକ୍ ଉତ୍କଳ ୟୁନିଭର୍ସିଟି ଗ୍ରେଟ୍ ଏଗେନ୍’ ଓ ‘ଆମ ଉତ୍କଳ, ଆମ ଗର୍ବ, ଆମ ଭବିଷ୍ୟତ’ ସ୍ଲୋଗାନ୍ ମାଧ୍ୟମରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ସ୍ଲୋଗାନ୍ ଓ ପ୍ରଚାରର ଏହି ପ୍ରତିଯୋଗିତାରେ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ପଛରେ ନାହାନ୍ତି। ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ପୋଷ୍ଟରରେ ‘ଜେନ୍-ଜି, ବ୍ରେକ୍ ଦି ସାଇଲେନ୍ସ, ଭୋଟ୍ ଫର୍ ଇଣ୍ଡିପେଣ୍ଡେଣ୍ଟ’ ସ୍ଲୋଗାନ୍ ଦେଖିବାକୁ ମିଳିଛି। ଯୁବପିଢ଼ିଙ୍କୁ ନିଜ ପ୍ରଚାର ସହ ଯୋଡ଼ିବା ଏବଂ ପାରମ୍ପରିକ ପ୍ରଚାର ଶୈଳୀଠାରୁ ଭିନ୍ନ ବାର୍ତ୍ତା ଦେବାକୁ ସ୍ୱାଧୀନ ପ୍ରାର୍ଥୀମାନେ ଉଦ୍ୟମ କରୁଛନ୍ତି। ଏପରି ସ୍ଥିତିରେ କଲେଜ କ୍ୟାମ୍ପସ୍ରେ ସ୍ଲୋଗାନ୍, ପୋଷ୍ଟର ଓ ଡିଜିଟାଲ୍ ପ୍ରଚାର ଛାତ୍ର ସଂସଦ ନିର୍ବାଚନର ଏକ ଆକର୍ଷଣୀୟ ଦିଗ ଭାବେ ଉଭା ହୋଇଛି। ତେବେ ଏହି ଆକର୍ଷଣୀୟ ବାର୍ତ୍ତା ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଇବ, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.