ଗଞ୍ଜାମରେ ମାଷ୍ଟର ଟ୍ରେନରଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର;ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ।
ଛତ୍ରପୁର,୦୯/୧୦(ପିପିଟି): ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କ ପାଇଁ ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୱାର୍ଡଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ବେକ୍ଷଣର ପ୍ରକ୍ରିୟା ଓ ଏହାର ଗୁରୁତ୍ୱ ସମ୍ପର୍କରେ ତାଲିମ ଦିଆଯାଇଥିଲା ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଘରକୁ ଘର ସର୍ବେକ୍ଷଣ ମାଧ୍ୟମରେ ଭୋଟର ତାଲିକାକୁ ସ୍ୱଚ୍ଛ, ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ, ତାହା ସୁନିଶ୍ଚିତ କରିବା ହିଁ ଏହି ସର୍ବେକ୍ଷଣର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା କହିଥିଲେ । ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲିବ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଘରକୁ ଯାଇ ସଠିକ୍ ତଥ୍ୟ ସଂଗ୍ରହ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସଠିକ୍ ଭାବେ ସ୍ଥାନିତ ହେବା ନିଶ୍ଚିତ କରିବାକୁ ସେ ମାଷ୍ଟର ଟ୍ରେନରମାନଙ୍କୁ ପରାମର୍ଶ ଦେଇଥିଲେ ।
ତାଲିମ ଶିବିରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ,ସହକାରୀ କମିଶନର, ମାଷ୍ଟର ଟ୍ରେନର ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ ।