ବୋଲଗଡ଼,୦୮/୧୦ (ପିପିଟି):ପାଖେଇ ଆସିଲାଣି ମା’ଙ୍କ ପର୍ବ ଶାରଦୀୟ ଦୁର୍ଗାପୂଜା। ଚାରିଆଡେ ସାଜସଜ୍ଜା, ମା’ଙ୍କ ଆଗମନର ଉଲ୍ଲାସ। ହେଲେ ଏହି ଭକ୍ତି ଓ ଆନନ୍ଦ ଭିତରେ କିଛି ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ଦେଖିବାକୁ ମିଳୁଛି, କିଛି ତଥାକଥିତ ବ୍ୟକ୍ତି ଏବେ ଠାରୁ ହିଁ ମନ ବଳାଇ ସାରିଲେଣି। ପ୍ଲାନ୍ ରେଡି ସରକାରୀ ଅଫିସ, ବେସରକାରୀ ସଂସ୍ଥା, ଠିକାଦାର, ବ୍ୟବସାୟୀଙ୍କ ପାଖକୁ ଯିବେ। ହାତରେ ଥିବ ଏକ ରସିଦ୍ ବହି, ବୁମ୍, ମୋବାଇଲ କ୍ୟାମେରା ଓ ବେକରେ ପରିଚୟ ପତ୍ର। କହିବେ – “ସାର୍, ଦୁର୍ଗାପୂଜା ସ୍ପେଶାଲ୍ ପେଜ୍ କରୁଛୁ, ଦୁଇ ହଜାର ଦିଅନ୍ତୁ, ଆପଣଙ୍କ ଫଟୋ ସହ ଶୁଭେଚ୍ଛା ଛାପିଦେବୁ।” ନ ଦେଲେ ତା’ପରେ ଆରମ୍ଭ ହେବ ଧମକ, ଖବର କରିଦେବାର ଭୟ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେଉଁ ସାମ୍ବାଦିକତା ଲୋକଙ୍କ ସ୍ୱର ହେବା କଥା, ସେହି ସାମ୍ବାଦିକତା ଆଜି ଚାନ୍ଦା ଆଦାୟର ମାଧ୍ୟମ ହୋଇଗଲା କି ? ଦଶହରା ଭଳି ପବିତ୍ର ପର୍ବକୁ ଆଗରେ ରଖି ବ୍ୟବସାୟ କରିବା କେତେଦୂର ଯୁକ୍ତିଯୁକ୍ତ ?
ଆଉ ଗୋଟେ ଦୁଃଖର କଥା ହେଲା, କୌଣସି କାରଣରୁ ଅସୁବିଧା ହେଲେ ନିଜ ଭିତରେ ୱେବ୍ ଚ୍ୟାନେଲ, ପ୍ରିଣ୍ଟ, ସାଟେଲାଇଟ୍ କହି କଥା କଟାକଟିରୁ ବାଡିଆ-ପିଟା ଯାଏଁ କଥା ଯାଇଥାଏ। ଏମାନେ କ’ଣ ପ୍ରକୃତରେ ସାମ୍ବାଦିକ ?
ସାଧାରଣ ଜନତା ଏସବୁ ଦେଖି ବିରକ୍ତ। ଲୋକେ କହୁଛନ୍ତି – ପୂଜା ଆସିଲେ ଏମାନଙ୍କ ଚାନ୍ଦା ପାଇଁ ଅଫିସର ଓ ଦୋକାନୀ ନାକେଦମ୍।
ସାମ୍ବାଦିକତା ଏକ ପବିତ୍ର ପେଶା। ମା’ ଦୁର୍ଗା ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ। ଶୁଭେଚ୍ଛା ନାଁରେ ଲୁଟ୍ ନୁହେଁ, ସତ୍ୟ ଓ ନିଷ୍ଠାରେ ଖବର ପରିବେଷଣ କରନ୍ତୁ। ସେଥିରେ ହିଁ ମା’ଙ୍କ ପ୍ରକୃତ ପୂଜା ହେବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ