ଓଡ଼ିଶା ପାଲଟିବ ସାମୁଦ୍ରିକ ଓ ଲଜିଷ୍ଟିକ୍ସ ହବ୍ ।

0 57

ଭୁବନେଶ୍ୱର, ୦୮/୧୦(ପିପିଟି): ଓଡ଼ିଶାର ପୂର୍ବ ଉପକୂଳ ଦେଶର ଏକ ପ୍ରମୁଖ ସାମୁଦ୍ରିକ ନିବେଶ ଓ ଲଜିଷ୍ଟିକ୍ସ ହବ୍ ଭାବେ ଉଭା ହେବାକୁ ଯାଉଛି। ବନ୍ଦର ସମ୍ପ୍ରସାରଣ, ନୂଆ ବନ୍ଦର ବିକାଶ ଏବଂ ଜାହାଜ ନିର୍ମାଣ ଭିତ୍ତିଭୂମି ପାଇଁ ୫୦ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇପଲାଇନରେ ରହିଛି। ପାରାଦୀପ ବନ୍ଦରର ପରବର୍ତ୍ତୀ ପର୍ଯ୍ୟାୟ କ୍ଷମତା ସମ୍ପ୍ରସାରଣ, ଗଞ୍ଜାମ ଜିଲ୍ଲାରେ ପ୍ରସ୍ତାବିତ ବାହୁଦା ବନ୍ଦର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରସ୍ତାବିତ ଜାହାଜ ନିର୍ମାଣ କ୍ଲଷ୍ଟର ଏହି ନିବେଶର ପ୍ରମୁଖ ଅଂଶ ହେବ।
ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାର ତଟରେଖା ଏକ ବହୁମୁଖୀ ମାରିଟାଇମ୍ ଓ ଲଜିଷ୍ଟିକ୍ସ ହବ୍ରେ ପରିଣତ ହେବାର ସମ୍ଭାବନା ବଢ଼ିଛି। ପାରାଦୀପ ବନ୍ଦରରେ ୩,୦୦୫ କୋଟି ଟଙ୍କା ବ୍ୟୟରେ ଡିପ୍-ଡ୍ରାଫ୍ଟ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ପାଇଁ ନିବେଶ ପାଇପଲାଇନରେ ରହିଛି। ଏହା ଦ୍ୱାରା ବନ୍ଦରର ବାର୍ଷିକ ପଣ୍ୟ ପରିଚାଳନା କ୍ଷମତାରେ ଅତିରିକ୍ତ ୨୫ ନିୟୁତ ଟନ୍ ଯୋଗ ହେବା ଆଶା କରାଯାଉଛି।
ପାରାଦୀପକୁ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଭାବେ ମଧ୍ୟ ବିକଶିତ କରାଯାଉଛି। ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ଉତ୍ପାଦ ପାଇଁ ଏଠାରେ ଆବଶ୍ୟକ ଭିତ୍ତିଭୂମି ଗଢ଼ି ତୋଳାଯାଉଛି। ଗ୍ରୀନ୍ ହାଇଡ୍ରୋଜେନ୍, ଆମୋନିଆ ଓ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ପାଇଁ ଏକ ଉତ୍ସର୍ଗୀକୃତ ଜେଟି ସମେତ ବିଭିନ୍ନ ସୁବିଧା ବିକାଶ ନିମନ୍ତେ କେନ୍ଦ୍ର ସରକାର ୭୯୭.୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଅଧିକାରୀମାନଙ୍କ ମତରେ, ନୂଆ ନିବେଶ ଚକ୍ର ମାଧ୍ୟମରେ ରାଜ୍ୟର ସାମୁଦ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିଳ୍ପ ବିକାଶର ନୂଆ ଦିଗ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.