ବଲିଉଡ ଅଭିନେତା ନାନା ପାଟେକରଙ୍କ ୭୫ବର୍ଷରେ ଦେହାନ୍ତ।

0 67

ଭୁବନେଶ୍ୱର, ୮/୧୦: ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଅଭିନୟର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିବା ନାନା ପାଟେକରଙ୍କ ଅଭିନୟ ଯାତ୍ରା ଥିଏଟରରୁ ଆରମ୍ଭ ହୋଇ ବଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଗମ୍ଭୀର ଚରିତ୍ରଠାରୁ ନେଗେଟିଭ୍ ଭୂମିକା, ଆକ୍ସନ୍ ଚରିତ୍ରଠାରୁ କମେଡି—ବିଭିନ୍ନ ଭୂମିକାରେ ନିଜର ଅଭିନୟ ପ୍ରତିଭାର ପ୍ରମାଣ ଦେଇଥିବା ନାନା ପାଟେକର ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି।

ଅଭିନୟ ଜଗତରେ ପ୍ରବେଶ ପୂର୍ବରୁ ନାନା ପାଟେକର ମରାଠୀ ରଙ୍ଗମଞ୍ଚ ସହ ଜଡ଼ିତ ଥିଲେ। ମୁମ୍ବାଇର ସାର୍ ଜେ.ଜେ. ଇନଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଆର୍ଟରେ ପଢ଼ୁଥିବା ସମୟରେ ସେ କଲେଜ ନାଟକରେ ସକ୍ରିୟ ଭାବେ ଅଂଶ ନେଉଥିଲେ। ପ୍ରାରମ୍ଭିକ ଦିନରେ ତାଙ୍କୁ ଆର୍ଥିକ ସଂଘର୍ଷ ମଧ୍ୟରୁ ଗତି କରିବାକୁ ପଡ଼ିଥିଲା। ଥିଏଟରରେ ଅଭିନୟ ପାଇଁ ତାଙ୍କୁ ପ୍ରତି ଶୋ’ ପିଛା ମାତ୍ର ୩୫ରୁ ୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା।

ରଙ୍ଗମଞ୍ଚରେ ନାନାଙ୍କ ଅଭିନୟ ପ୍ରତିଭା ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନଜରକୁ ଆସିଥିଲା। ଏକ ନାଟକରେ ତାଙ୍କ ଅଭିନୟ ଦେଖି ସ୍ମିତା ପାଟିଲ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ନାମ ଚଳଚ୍ଚିତ୍ର ନିର୍ମାତାଙ୍କ ନିକଟରେ ସୁପାରିଶ କରିଥିବା କୁହାଯାଏ। ଏହାପରେ ୧୯୭୮ରେ ‘ଗମନ’ ମାଧ୍ୟମରେ ସେ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ।

‘ପରିନ୍ଦା’ ବଦଳାଇଦେଲା ପରିଚୟ
୧୯୮୯ରେ ମୁକ୍ତିଲାଭ କରିଥିବା ‘ପରିନ୍ଦା’ ନାନା ପାଟେକରଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେଇଥିଲା। ଫିଲ୍ମରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା। ଏହି ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ପାଇଥିଲେ। ଏହା ପରେ ୧୯୯୦ ଦଶକରେ ସେ ହିନ୍ଦୀ ସିନେମାର ଜଣେ ବିଶ୍ୱସ୍ତ ଓ ଚର୍ଚ୍ଚିତ ଅଭିନେତା ଭାବେ ପରିଚିତ ହୋଇଥିଲେ।

‘କ୍ରାନ୍ତିବୀର’ରେ ଶ୍ରେଷ୍ଠ ଅଭିନୟ
୧୯୯୪ରେ ମୁକ୍ତିଲାଭ କରିଥିବା ‘କ୍ରାନ୍ତିବୀର’ ନାନା ପାଟେକରଙ୍କ କ୍ୟାରିଅରର ଆଉ ଏକ ମାଇଲଖୁଣ୍ଟ ଥିଲା। ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ସମ୍ମାନ ହାସଲ କରିଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସଫଳତା ପାଇଥିଲା।
ବିଭିନ୍ନ ଚରିତ୍ରରେ ନିଜକୁ ପ୍ରମାଣିତ କରିଥିଲେ
ନାନା ପାଟେକରଙ୍କ ବିଶେଷତ୍ୱ ଥିଲା ଯେ ସେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧରଣର ଚରିତ୍ର ମଧ୍ୟରେ ସୀମିତ ରଖିନଥିଲେ। ‘ଅଙ୍ଗାର’ର ନେଗେଟିଭ୍ ଚରିତ୍ରଠାରୁ ‘ତିରଙ୍ଗା’, ‘ଅଗ୍ନିସାକ୍ଷୀ’, ‘ଖାମୋଶୀ: ଦି ମ୍ୟୁଜିକାଲ୍’, ‘ଶକ୍ତି: ଦି ପାୱାର’, ‘ଅବ ତକ୍ ଛପ୍ପନ’, ‘ଅପହରଣ’ ଓ ‘ରାଜନୀତି’ ଭଳି ଚଳଚ୍ଚିତ୍ରରେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। ‘ଅଗ୍ନିସାକ୍ଷୀ’ ପାଇଁ ମଧ୍ୟ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ପାଇଥିଲେ।
‘ଅପହରଣ’ରେ ନୂଆ ଅନ୍ଦାଜ
୨୦୦୫ରେ ମୁକ୍ତିଲାଭ କରିଥିବା ‘ଅପହରଣ’ରେ ନାନା ପାଟେକରଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଥିଲା। ନେଗେଟିଭ୍ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିଲା।

ୱେଲକମ୍’ରେ ହସାଇଥିଲେ ଦର୍ଶକଙ୍କୁ
ଗମ୍ଭୀର ଓ ନେଗେଟିଭ୍ ଚରିତ୍ର ପାଇଁ ପରିଚିତ ନାନା ପାଟେକର ‘ୱେଲକମ୍’ ଚଳଚ୍ଚିତ୍ରରେ ନିଜର କମେଡି ଟାଇମିଂର ମଧ୍ୟ ପରିଚୟ ଦେଇଥିଲେ। ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଉଦୟ ଶେଟ୍ଟୀ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ପରେ ‘ୱେଲକମ୍ ବ୍ୟାକ୍’ରେ ମଧ୍ୟ ସେ ଏହି ଚରିତ୍ରକୁ ପୁନର୍ବାର ଅଭିନୟ କରିଥିଲେ।

ମରାଠୀ ସିନେମାରେ ‘ନଟସମ୍ରାଟ’
ହିନ୍ଦୀ ସିନେମା ସହ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ନାନା ପାଟେକରଙ୍କ ଅବଦାନ ଉଲ୍ଲେଖନୀୟ। ‘ନଟସମ୍ରାଟ’ରେ ତାଙ୍କ ଅଭିନୟ ବ୍ୟାପକ ପ୍ରଶଂସା ପାଇଥିଲା। ଏହି ଚରିତ୍ର ମାଧ୍ୟମରେ ତାଙ୍କ ଅଭିନୟର ଆଉ ଏକ ଦିଗ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।
ଅଭିନେତା ସହ ନିର୍ଦ୍ଦେଶକ ମଧ୍ୟ
ନାନା ପାଟେକର କେବଳ ଅଭିନେତା ନୁହେଁ, ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିଲେ। ‘ପ୍ରହାର: ଦ ଫାଇନାଲ ଆଟାକ୍’ ମାଧ୍ୟମରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନାର ଦାୟିତ୍ୱ ମଧ୍ୟ ସେ ନିଭାଇଥିଲେ।

ଜାତୀୟ ପୁରସ୍କାରରୁ ପଦ୍ମଶ୍ରୀ
ଦୀର୍ଘ ଅଭିନୟ ଜୀବନରେ ନାନା ପାଟେକର ଅନେକ ସମ୍ମାନ ହାସଲ କରିଛନ୍ତି। ‘ପରିନ୍ଦା’ ଓ ‘ଅଗ୍ନିସାକ୍ଷୀ’ ପାଇଁ ଶ୍ରେଷ୍ଠ ସହ-ଅଭିନେତା ଏବଂ ‘କ୍ରାନ୍ତିବୀର’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ୨୦୧୩ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ଥିଏଟରରୁ ଆରମ୍ଭ ହୋଇଥିବା ତାଙ୍କ ଅଭିନୟ ଯାତ୍ରା ହିନ୍ଦୀ ଓ ମରାଠୀ ସିନେମାରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା।

Leave A Reply

Your email address will not be published.