ମାଲକାନଗିରି, ୦୭/୧୦ପିପିଟି): ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ ଅଧୀନରେ ‘ସେବା ଜ୍ୟୋତି ମଶାଲ ଯାତ୍ରା’ ଏବେ ସାରା ଓଡ଼ିଶାରେ ଏକ ବୃହତ୍ ଜନ ଆନ୍ଦୋଳନର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ବର୍ଷର ଜନସେବା ଓ ରାଷ୍ଟ୍ର ନିର୍ମାଣ ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ମାସବ୍ୟାପୀ ଅଭିଯାନ ପ୍ରତ୍ୟେକ ଅଞ୍ଚଳରେ ଲୋକଙ୍କୁ ଏକାଠି କରୁଛି।
ଏହି କ୍ରମରେ ଆଜି ମାଲକାନଗିରିଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ମାଲ୍ୟବନ୍ତ ହଷ୍ଟେଲ ଛକଠାରୁ ମଶାଲ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯିବା ସହ ଏକ ବିଶାଳ ପଦଯାତ୍ରା ବାହାରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ପହଞ୍ଚିଥିଲା।
ଏହି ଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ସେବାଭାବ ଜାଗ୍ରତ କରିବା ସହ ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା। ବିଶେଷ କରି ମହିଳା, ଯୁବପିଢ଼ି, ଚାଷୀ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଉଛି।
ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ ମଞ୍ଚାସୀନ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ- ୨୦୪୭’ର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ। ସଭା ଶେଷରେ ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ସମସ୍ତଙ୍କୁ ‘ବିକଶିତ ଭାରତ’ ଗଠନ ନେଇ ଶପଥ ପାଠ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା, ବାଲିମେଳା ଏନ୍ଏସି ଚେୟାରମ୍ୟାନ ପ୍ରଦୀପ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ିଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)