କ୍ୟାମ୍ପସ ନିର୍ବାଚନରେ ହିଂସା ରୋକିବାକୁ ପୁଲିସର ପ୍ରସ୍ତୁତି, ବଢ଼ିବ ପାଟ୍ରୋଲିଂ।

0 6

ଭୁବନେଶ୍ୱର, ୦୭/୧୦(ପିପିଟି): ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବା ସହ ସମ୍ଭାବ୍ୟ ହିଂସା ରୋକିବାକୁ କମିଶନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ମହର୍ଷି କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ପାଇଁ ଛାତ୍ରଗୋଷ୍ଠୀଙ୍କ ପ୍ରସ୍ତୁତି ପରେ ପୁଲିସ ସତର୍କ ହୋଇଛି। ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ ହେଉଛି।
ପୁଲିସର ଯୋଜନା ଅନୁଯାୟୀ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିକଟସ୍ଥ ଥାନାରେ ସ୍ୱତନ୍ତ୍ର ଫୋର୍ସ ସଜାଗ ରହିବ। ଆବଶ୍ୟକତା ପଡ଼ିଲେ ଏହି ଫୋର୍ସକୁ ତୁରନ୍ତ କ୍ୟାମ୍ପସକୁ ପଠାଯାଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯିବ। ଦିନ ଓ ରାତିରେ ନିୟମିତ ପାଟ୍ରୋଲିଂ ସହ ଆବଶ୍ୟକ ହେଲେ ସଶସ୍ତ୍ର ପୁଲିସ ଦ୍ୱାରା ଫ୍ଲାଗ୍ମାର୍ଚ୍ଚ ମଧ୍ୟ କରାଯିବ। ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୁଳପତିଙ୍କ କାର୍ଯ୍ୟାଳୟ ନିକଟରେ ସନ୍ଧ୍ୟାରୁ ଏକ ସେକ୍ସନ ପୁଲିସ ଫୋର୍ସ ମୁତୟନ ରହୁଥିବାବେଳେ ଆଉ ଏକ ପ୍ଲାଟୁନ୍ ଫୋର୍ସ ସହିଦନଗର ଥାନାରେ ସଜାଗ ରଖାଯାଇଛି। ଦୁଇଟି ପିସିଆର ଭ୍ୟାନ୍ କ୍ୟାମ୍ପସରେ ନିୟମିତ ପଇଁତରା ମାରୁଛି। ବିଭିନ୍ନ ହଷ୍ଟେଲ, କ୍ୟାଣ୍ଟିନ୍ ଓ ଛାତ୍ରମାନଙ୍କ ଆଡ୍ଡାସ୍ଥଳ ଉପରେ ମଧ୍ୟ ନଜର ରଖାଯାଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ ଓ ମହର୍ଷି କଲେଜ ପାଇଁ ମଧ୍ୟ ଏକ ସେକ୍ସନ ଲେଖାଏଁ ଫୋର୍ସ ସହିଦନଗର ଥାନାରେ ସଜାଗ ରହିଛି।

ବିଜେବି କଲେଜରେ ପୂର୍ବରୁ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହିଂସାର ଘଟଣା ଥିବାରୁ ବଡ଼ଗଡ଼ ଥାନା ପୁଲିସ ସେଠାରେ ବିଶେଷ ନଜର ରଖିଛି। ସାଦା ପୋଷାକରେ ପୁଲିସ କର୍ମଚାରୀମାନେ କ୍ୟାମ୍ପସ ଭିତର ଓ ବାହାରେ ନଜରଦାରି କରୁଛନ୍ତି। ବିଭିନ୍ନ ହଷ୍ଟେଲ, ଘରୋଇ ମେସ୍ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କରାଯାଉଛି। ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଫୋର୍ସ କ୍ୟାମ୍ପସକୁ ପଠାଯାଇ ପାଟ୍ରୋଲିଂ କରାଯାଉଛି।

ସେହିପରି ରାଜଧାନୀ କଲେଜ ପାଇଁ ଖଣ୍ଡଗିରି ଥାନାରେ ଏକ ସେକ୍ସନ ପୁଲିସ ଫୋର୍ସ ସଜାଗ ରଖାଯାଇଛି। ସେଠାରେ ସକ୍ରିୟ ଥିବା ବିଭିନ୍ନ ଛାତ୍ରଗୋଷ୍ଠୀଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଛି। ନିର୍ବାଚନକୁ କେନ୍ଦ୍ର କରି କୌଣସି ଗୋଷ୍ଠୀ ସଂଘର୍ଷ, ମାରପିଟ କିମ୍ବା ଆଇନଶୃଙ୍ଖଳା ଭଙ୍ଗ ଭଳି ଘଟଣା ଯେପରି ନଘଟେ, ସେଥିପାଇଁ କ୍ୟାମ୍ପସଗୁଡ଼ିକରେ ନଜରଦାରି ଓ ପାଟ୍ରୋଲିଂକୁ ଆହୁରି ବଢ଼ାଇବାକୁ ପୁଲିସ ପଦକ୍ଷେପ ନେଇଛି।

Leave A Reply

Your email address will not be published.