ବ୍ରହ୍ମପୁର,୦୫/୧୦(ପିପିଟି): ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ୪୫ ଟି ପୂଜା ମଣ୍ଡପର ସଭାପତି ଏବଂ ସଂପାଦକଙ୍କ ସମେତ ମୁରବୀ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ବିଭିନ୍ନ ସମସ୍ୟାର ସମାଧାନ ଏବଂ ଆବଶ୍ୟକତାର ପରିପୂରଣ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ଆବଶ୍ୟକୀୟ ପଦକ୍ଷେପ ସହ ଟ୍ରାଫିକ୍ ପରିଚାଳନାରେ ମଣ୍ଡପ କର୍ମକର୍ତ୍ତାଙ୍କ ସହଯୋଗ, ତାଲିମପ୍ରାପ୍ତ ସ୍ୱୟଂସେବକ ନିୟୋଜନ ନିମନ୍ତେ ସ୍ଥିର ହୋଇଥିଲା । ଡିଜେ ସଂପୂର୍ଣ୍ଣ ବ୍ୟାନ୍, ରାସ୍ତା ଅବରୋଧ ନକରି ପ୍ରତ୍ୟେକ ପୂଜା ମଣ୍ଡପରେ ସି.ସି.ଟି.ଭି. ଲଗାଇବା, ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଦ୍ୟୁତ୍ ସରବରାହ ଅନୁମତି ନେଇ ସଂଯୋଗ ସହ ବିଦ୍ୟୁତ୍ ନିରାପତ୍ତା,ପାରଦର୍ଶୀ ବିଦ୍ୟୁତ୍ ଉପଯୋଗ ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ମଣ୍ଡପ ନିକଟରେ ଅଗ୍ନି ନିର୍ବାପନ ପାଇଁ ବାଲି ଓ ପାଣି ବାଲ୍ଟି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂଜା ମଣ୍ଡପ ପରିସର ପରିଷ୍କାର ରଖିବାକୁ ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା । ବିସର୍ଜନ ସମୟରେ ରାସ୍ତାକୁ ମାଡ଼ିଆସିଥିବା ଗଛର ଡାଳ ଗୁଡିକ କାଟିବା ସହ କୌଣସି ଅଘଟଣ ଏଡ଼ାଇବା ପାଇଁ କୃତ୍ରିମ ପୁଷ୍କରିଣୀରେ ଶାନ୍ତିଶୃଙ୍ଖଳା ସହ ବିସର୍ଜନ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସହାୟତା ନେବାକୁ ପୂଜା କମିଟିର କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା । ମିଳିତ ପ୍ରୟାସ କ୍ରମେ ସଫଳତାର ସହ ଶାରଦୀୟ ଦୁର୍ଗାପୂଜା ସମାପନ ଉପରେ ଉପ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ବୈଠକରେ ବ୍ରହ୍ମପୁର ଏସ୍.ଡି.ପି.ଓ, ଡି.ଏସ୍.ପି (ଟ୍ରାଫିକ୍), ଅଗ୍ନିଶମ, ମହାନଗର ନିଗମ ଅଧିକାରୀଙ୍କ ସହ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀଗଣ ସହଯୋଗ କରିଥିଲେ ।