ରାଜପଥ ଉପରେ ପରିବା ହାଟ, ଯାତାୟାତ ବିପର୍ଯ୍ୟସ୍ତ ।

0 177

ଯାଜପୁର,୦୫/୧୦(ପିପିଟି): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ଗଣେଶ ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୈନିକ ପରିବା ହାଟ ବସୁଥିବାରୁ ଯାତାୟାତ ସମସ୍ୟା ଗୁରୁତର ହୋଇଛି। ପ୍ରତିଦିନ ଭୋର ୪ଟାରୁ ପୂର୍ବାହ୍ନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏଠାରେ ଚାଷୀ, ପରିବା ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଲାଗି ରହୁଛି। ରାଜପଥ କଡ଼ରେ ଏବଂ ଓଭରବ୍ରିଜ୍‌ ତଳେ ପରିବା ବିକ୍ରି ଓ କିଣାବିକା ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି।

ଗଣେଶ ବଜାର ଓଭରବ୍ରିଜ୍‌ ତଳେ ପରିବା ବ୍ୟବସାୟୀମାନେ ରାସ୍ତା ଦଖଲ କରି ବସିବା ସହ ଚାଷୀମାନେ ମଧ୍ୟ ନିଜ ଉତ୍ପାଦ ନେଇ ସେଠାରେ ରହୁଛନ୍ତି। ପୋଲ ତଳେ ଥିବା ପାଦଚଲା ରାସ୍ତାରେ ପାଳିଆମାନେ ବସି ବ୍ୟବସାୟ କରୁଥିବାରୁ ଗ୍ରାହକମାନେ ମୁଖ୍ୟ ରାସ୍ତା ଉପରେ ଠିଆ ହୋଇ ପରିବା କିଣୁଛନ୍ତି। ଏହାସହ ଏକାଧିକ ଦୁଇଚକିଆ ଓ ଚାରିଚକିଆ ଯାନ ରାସ୍ତା ଉପରେ ରହିବାରୁ ଟ୍ରାଫିକ୍‌ ସମସ୍ୟା ଆହୁରି ବଢ଼ୁଛି।

ଏହି ରାସ୍ତା ଦେଇ ସିଂହାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ସ୍କୁଲ, କଲେଜ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ଲୋକେ ଯାତାୟାତ କରନ୍ତି। ଫଳରେ ଭିଡ଼ ସମୟରେ ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଯାନଗୁଡ଼ିକ ମଧ୍ୟ ଅସୁବିଧାରେ ପଡ଼ୁଛି। ପ୍ରତିଦିନ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ରାଜପଥକୁ ଅବରୋଧମୁକ୍ତ କରିବା ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଉନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାଜପଥର ପଶ୍ଚିମ ପାର୍ଶ୍ୱରେ ବାରବାଟୀ, ସିଂହାପୁର, କଳଣ, ଓଡ଼ିଶୋ ଓ ନଠୁଆବର ଭଳି ପଞ୍ଚାୟତ ରହିଛି। ଏହି ଅଞ୍ଚଳର ଲୋକମାନେ ଗଣେଶ ବଜାରସ୍ଥିତ ଗଳିପୋଲ ଦେଇ ଯାତାୟାତ କରନ୍ତି। ତେବେ ପୋଲ ତଳେ ଦୈନିକ ପରିବା ହାଟ ବସୁଥିବାରୁ ସେମାନଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭିଡ଼ ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି।

ପରିବା ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ବିଜୁ କୃଷକ ବଜାର ପାଇଁ ନିର୍ଦ୍ଦିଷ୍ଟ ଜମି ରହିଛି। ତେବେ ସେହି ଜମିର ବହୁ ଅଂଶ ଦଖଲ ହୋଇଥିବାରୁ ହାଟ ପାଇଁ ଉପଲବ୍ଧ ସ୍ଥାନରେ ବ୍ୟବସାୟ କରିବା ସମ୍ଭବ ହେଉନାହିଁ। ରାଜପଥ ଉପରେ କାରବାର କରିବା ସୁବିଧାଜନକ ହେଉଥିବାରୁ ବ୍ୟବସାୟୀମାନେ ସେଠାରେ ପରିବା ଲୋଡ୍‌ ଓ ଅନଲୋଡ୍‌ କରୁଥିବା କହିଛନ୍ତି। ବ୍ୟବସାୟୀମାନେ ଯେଉଁ ସ୍ଥାନରେ ରହିବେ, ଚାଷୀ ଓ ପାଳିଆମାନେ ମଧ୍ୟ ସେହି ସ୍ଥାନକୁ ଯିବେ ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ, ରାଜପଥ ଅବରୋଧ ପାଇଁ ପରିବା ବ୍ୟବସାୟୀଙ୍କ ମନମାନିକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ବିଜୁ କୃଷକ ବଜାର ପରିଚାଳନା ଦାୟିତ୍ୱରେ ଥିବା ଆଞ୍ଚଳିକ କୃଷକ ସେବା ସମିତିର ସଭାପତି ଜ୍ଞାନରଞ୍ଜନ ରଥ କହିଛନ୍ତି ଯେ, ରାଜପଥ ଉପରେ ବ୍ୟବସାୟ ନକରିବା ପାଇଁ ବ୍ୟବସାୟୀ ଓ ଚାଷୀମାନଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି। ମାତ୍ର ସେମାନେ ଏହାକୁ ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିଛନ୍ତି।

ରାଜପଥରେ ଅବରୋଧ ଯୋଗୁଁ ଧନଜୀବନ ପ୍ରତି ବିପଦ ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ, ପୋଲିସ, ରାଜପଥ କର୍ତ୍ତୃପକ୍ଷ ଓ ସମିତିର ମିଳିତ ପଦକ୍ଷେପ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ବିଜୁ କୃଷକ ବଜାରର ନିର୍ଦ୍ଦିଷ୍ଟ ସ୍ଥାନକୁ ପରିବା ହାଟକୁ ସ୍ଥାନାନ୍ତର କରାଗଲେ ରାଜପଥ ଅବରୋଧ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେମାନେ କହିଛନ୍ତି। ରାଜପଥକୁ ପରିବା ହାଟ କବଳରୁ ମୁକ୍ତ କରି ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.