ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ ।

0 93

ଭୁବନେଶ୍ୱର, ୩୦/୦୯: ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ ସହ ଓମ୍ଫେଡର ବ୍ୟବସାୟିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ବୁଧବାର ଭୁବନେଶ୍ୱର ସହିଦନଗରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ଦିନରେ ଓମ୍ଫେଡର ବ୍ୟବସାୟିକ ପରିସରକୁ ଆହୁରି ବ୍ୟାପକ କରିବା ସହ ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ୨୦୨୬-୨୭ ଆର୍ଥିକ ବର୍ଷରେ ଓମ୍ଫେଡର କାରବାର ୧୩୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଓମ୍ଫେଡର ସଭାପତି କିଶୋରଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ପରିଷଦ ବୈଠକରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଧାରଣ ପରିଷଦର ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ। ବୈଠକରେ ଓମ୍ଫେଡର ବର୍ତ୍ତମାନର କାର୍ଯ୍ୟକଳାପ, ଆର୍ଥିକ ସ୍ଥିତି, ଦୁଗ୍ଧ ସଂଗ୍ରହ, ବିପଣନ ବ୍ୟବସ୍ଥା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ମତବିନିମୟ ହୋଇଥିଲା।
ବୈଠକ ଆରମ୍ଭରେ ୨୮ତମ ସାଧାରଣ ପରିଷଦ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକର ବୈଧିକରଣ କରାଯାଇଥିଲା। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନର ସ୍ଥିତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହାପରେ ବିଭିନ୍ନ ଆର୍ଥିକ ବର୍ଷ ପାଇଁ ମହାସଂଘର ସମୀକ୍ଷିତ ହିସାବ ଉପସ୍ଥାପନ କରାଯାଇଥିଲା। ଆର୍ଥିକ କାର୍ଯ୍ୟକଳାପ ଓ ସଂଗଠନର ବ୍ୟବସାୟିକ ପ୍ରଗତି ସମ୍ପର୍କରେ ମଧ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଓମ୍ଫେଡର କାରବାରରେ ବୃଦ୍ଧି ଘଟିଥିବାରୁ ବୈଠକରେ ଏନେଇ ସନ୍ତୋଷ ପ୍ରକାଶ କରାଯାଇଥିଲା। ଏହି ଅଭିବୃଦ୍ଧିକୁ ଆଧାର କରି ଆଗାମୀ ଦିନରେ ଓମ୍ଫେଡର ବ୍ୟବସାୟିକ କାର୍ଯ୍ୟକଳାପକୁ ଆହୁରି ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
୨୦୨୬-୨୭ ଆର୍ଥିକ ବର୍ଷରେ ୧୩୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ଦୁଗ୍ଧ ସଂଗ୍ରହ ବୃଦ୍ଧି, ବିପଣନ ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଓମ୍ଫେଡର ବିଭିନ୍ନ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ବଜାରକୁ ଆହୁରି ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଅଧିକ ସଂଖ୍ୟକ ଚାଷୀଙ୍କୁ ଦୁଗ୍ଧ ସଂଗ୍ରହ ବ୍ୟବସ୍ଥା ସହ ଯୋଡ଼ିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଦୁଗ୍ଧ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସଂଗୃହିତ ଦୁଗ୍ଧର ବିପଣନ ଓ ବିତରଣ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ନେଇ ମଧ୍ୟ ମତବିନିମୟ ହୋଇଥିଲା। ଓମ୍ଫେଡର ବିଭିନ୍ନ ଉତ୍ପାଦକୁ ଅଧିକ ବଜାରରେ ପହଞ୍ଚାଇବା ସହ ଗ୍ରାହକଙ୍କ ଚାହିଦା ଓ ବଜାରର ଆବଶ୍ୟକତା ଅନୁଯାୟୀ ବ୍ୟବସାୟିକ ପରିସରକୁ ବଢ଼ାଇବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଓମ୍ଫେଡର ବ୍ୟବସାୟିକ ପରିସର ଯେତେ ବଢ଼ିବ, ତାହାର ସୁଫଳ ଦୁଗ୍ଧ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ବଜାରରେ ଓମ୍ଫେଡ ଉତ୍ପାଦର ଉପଲବ୍ଧତା ବଢ଼ାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଦୁଗ୍ଧଜାତ ପଦାର୍ଥର ଗୁଣବତ୍ତା ମଧ୍ୟ ବଜାୟ ରଖିବା ଦିଗରେ ଆଲୋଚନା କରାଯାଇଥିଲା ।
ସାମଗ୍ରିକ ଭାବେ ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକରେ ଗତ ଦୁଇ ବର୍ଷର ଅଭିବୃଦ୍ଧିର ସମୀକ୍ଷା ସହ ଆଗାମୀ ଦିନ ପାଇଁ ବିକାଶର ଦିଗ ନିର୍ଦ୍ଧାରଣ କରାଯାଇଛି। ୧୩୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ, ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଚାଷୀଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ଦିଆଯାଇ ଓମ୍ଫେଡକୁ ଆହୁରି ସୁଦୃଢ଼ ଓ ବ୍ୟାପକ କରିବା ଦିଗରେ ବୈଠକରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.