କଟକ,୨୭/୦୯(ପିପିଟି ):ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକାଦଶତମ ନୂଆଖାଇ ଭେଟଘାଟ–୨୦୨୬ରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଭିନ୍ନ ବିଧାୟକ ଓ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ। ଅତିଥି ଭାବେ ଯୋଗଦେଇ ମଧ୍ୟାଞ୍ଚଳ ଆରକ୍ଷୀ ମଣ୍ଡଳର ଆରକ୍ଷୀ ମହାନିରୀକ୍ଷକ ଡ. ସତ୍ୟଜିତ୍ ନାୟକ କହିଥିଲେ ଯେ ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର ମାଟି, ମଣିଷ, ପରମ୍ପରା ଓ ଭାଇଚାରାର ଜୀବନ୍ତ ପରିଚୟ। ନୂଆ ଅନ୍ନକୁ ପ୍ରଥମେ ମା’ଙ୍କୁ ସମର୍ପଣ କରି ପରିବାର ଓ ସମାଜ ସହ ବାଣ୍ଟି ଖାଇବାର ପରମ୍ପରା ଆମକୁ ଏକତା ଓ ସାମୂହିକତାର ସନ୍ଦେଶ ଦେଇଥାଏ। ନୂଆଖାଇ ଭେଟ୍ରେ ବଡ଼ମାନଙ୍କ ଆଶୀର୍ବାଦ ନେବା, ସାନମାନଙ୍କୁ ସ୍ନେହ ଦେବା ଓ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଦ୍ୱାରା ସାମାଜିକ ସମ୍ପର୍କ ଆହୁରି ମଜବୁତ ହୋଇଥାଏ ବୋଲି ସେ କହିଥିଲେ। ଡ. ନାୟକ କହିଥିଲେ ଯେ ଆଧୁନିକତା ସହିତ ଯୁବପିଢ଼ି ନିଜ ମାଟି, ଭାଷା ଓ ସଂସ୍କୃତି ସହ ସମ୍ପର୍କ ଅତୁଟ ରଖିବା ଆବଶ୍ୟକ। ନୂଆଖାଇ କୃଷକଙ୍କ ଅବଦାନକୁ ସମ୍ମାନ କରିବାର ମଧ୍ୟ ଏକ ଅବସର। ପର୍ବପର୍ବାଣୀର ଆନନ୍ଦ ସହିତ ପରିବେଶ ସୁରକ୍ଷା, ଅପଚୟ ରୋକିବା ଏବଂ ଅସହାୟଙ୍କ ସହ ଖୁସି ବାଣ୍ଟିବା ଭଳି ସାମାଜିକ ଦାୟିତ୍ୱ ତୁଲାଇବାକୁ ସେ ଆହ୍ୱାନ ଦେଇଥିଲେ। ଯୁବଶକ୍ତି ସମାଜସେବା, ରକ୍ତଦାନ, ନିଶାମୁକ୍ତି, ସଡ଼କ ସୁରକ୍ଷା, ସାଇବର ସଚେତନତା ଏବଂ ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ଅଧିକ ସକ୍ରିୟ ହେବା ଉଚିତ ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଚାରିଟେବଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଓ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇ ସେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ଥତା କାମନା କରିଥିଲେ।