ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍ର ସାମଗ୍ରିକ ବିକାଶ,ପ୍ରାକୃତିକ,ଶିକ୍ଷା, ପର୍ଯ୍ୟଟନ ଓ ଜଳସେଚନ ବ୍ୟବସ୍ଥାର ବିକାଶ ଉପରେ ଆଲୋଚନା ।
ବ୍ରହ୍ମପୁର,୧୮/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପର୍ଯ୍ୟଟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଗପହଣ୍ଡି ଓ ଚିକିଟି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ପ୍ରସିଦ୍ଧ ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍ର ପରିପାର୍ଶ୍ୱିକ ବିକାଶ ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ନେଇ ବିସ୍ତୃତ ଆଲୋଚନା ହୋଇଛି ।
ଏହି ଦୁଇ ପର୍ଯ୍ୟଟନସ୍ଥଳୀରେ ପ୍ରାକୃତିକ ପର୍ଯ୍ୟଟନ ସହ ଶିକ୍ଷା ପର୍ଯ୍ୟଟନର ବିକାଶ ଏବଂ ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ସମନ୍ୱିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତୁତ ଯୋଜନା ଓ ଡିପିଆର୍ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖି ଏହି ଦୁଇ ସ୍ଥାନକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଉପରେ ମତ ପ୍ରକାଶ ପାଇଥିଲା ।
ବୈଠକରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ,ପୂର୍ତ୍ତ ଓ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଅବିନାଶ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।