ବେଲଗୁଣ୍ଠାରେ ବିପୁଳ ପରିମାଣର ବେଆଇନ ଗୁଟଖା ଜବତ: ଅଭିଯୁକ୍ତ କୋର୍ଟ ଚାଲାଣ ।

0 55

ବେଲଗୁଣ୍ଠା,୦୯/୦୯(ପିପିଟି):ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଗତ ୦୮ ତାରିଖ ସନ୍ଧ୍ୟା ୮:୩୦ ମିନିଟ୍‌ରେ ବ୍ଲକିଂ ଡ୍ୟୁଟି ସମୟରେ ବେଆଇନ ଗୁଟଖା ଓ ନିଷିଦ୍ଧ ତମାଖୁ ଚାଲାଣ କରୁଥିବା ଏକ କାର୍‌କୁ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଖଡ଼ିତେଲି ସାହିର ଅଶ୍ୱିନୀ କୁମାର ଗୌଡ଼ (୨୬)ଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଭଞ୍ଜନଗର ଏସଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି।ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ଅଭିଯୋଗ କ୍ରମେ ୪୯୫/୨୬ ରେ ବେଲଗୁଣ୍ଠା ଥାନରେ ଗୋଟିଏ ମାମଲା ରୁଜ୍ଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତାର ଧାରା ୨୭୫/୧୨୩/୩୧୮(୨)/୬୧(୨)/୩୪୬/୩୪୯, COTPA ଆକ୍ଟର ଧାରା ୨୦/୨୪, ଖାଦ୍ୟ ସୁରକ୍ଷା ଆଇନର ଧାରା ୫୯, କପିରାଇଟ୍‌ ଆକ୍ଟର ଧାରା ୬୩/୬୫ ଏବଂ ଟ୍ରେଡ୍‌ମାର୍କସ ଆକ୍ଟର ଧାରା ୧୦୩/୧୦୪ ଅଧୀନରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଚଢ଼ାଉ ବେଳେ ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ ଭର୍ନା କାର୍‌ (OD-02-W-1122), ‘ମଧୁବନ ୬୦ ସଫଳ’ ଗୁଟଖା ଭର୍ତ୍ତି ୧୧ ଟି କାର୍ଟନ୍‌ ( ୧୧୦୦ ପ୍ୟାକେଟ୍‌), ‘କେପି ବ୍ଲାକ୍‌ ଲେବୁଲ୍‌ ପ୍ରିମିୟମ୍‌’ ଜର୍ଦ୍ଦା ଭର୍ତ୍ତି ୧୧ ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ (ମୋଟ ୧୧୨୨ ପ୍ୟାକେଟ୍‌) ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି।ବେଲଗୁଣ୍ଠା ଥାନାର ଏସ୍‌.ଆଇ. ସୁକାନ୍ତ କୁମାର ପ୍ରଧାନ ଘଟଣାର ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ବେଆଇନ ଗୁଟଖା ଓ ନିଷିଦ୍ଧ ତମାଖୁ ଦ୍ରବ୍ୟର ମୁନାଫାଖୋରୀ, ଗଚ୍ଛିତ ଓ ଚୋରା ଚାଲାଣକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଆଗାମୀ ଦିନରେ ଏହିପରି କଡ଼ା ଯାଞ୍ଚ ଓ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି।

ରିପୋର୍ଟ ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.