କେନ୍ଦ୍ରାଞ୍ଚଳରେ ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା: ଆଗୁଆ ପଦକ୍ଷେପ ଉପରେ ଆଇଜି ଡାକ୍ତର ସତ୍ୟଜିତ ନାୟକଙ୍କ ଗୁରୁତ୍ୱ ।
କଟକ,୦୯/୦୯(ପିପିଟି): କେନ୍ଦ୍ରାଞ୍ଚଳ ପୁଲିସର ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ବିପର୍ଯ୍ୟୟ ପରିଚାଳନା ଏବଂ ଆଗାମୀ ତିନି ମାସର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ ପ୍ରତିକ୍ରିୟାଶୀଳ ପୁଲିସିଂ ବଦଳରେ ଆଗୁଆ ଓ ପ୍ରତିଷେଧମୂଳକ ପୁଲିସିଂ ଉପରେ ଗୁରୁତ୍ୱ ଦେଇଛନ୍ତି।
କେନ୍ଦ୍ରାଞ୍ଚଳ ଅଧୀନ ବିଭିନ୍ନ ଜିଲ୍ଲାର ଏସ୍ପି/ଏସ୍ଏସ୍ପିମାନେ ବୈଠକରେ ଯୋଗଦେଇଥିଲେ। ଆଗାମୀ ତିନି ମାସ ମଧ୍ୟରେ ଶାନ୍ତି, ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ପାଇଁ ଅଧିକ ସତର୍କତା, ଉତ୍ତମ ସମନ୍ୱୟ ଏବଂ ତ୍ୱରିତ ପଦକ୍ଷେପ ଆବଶ୍ୟକ ବୋଲି ଡ. ନାୟକ କହିଛନ୍ତି।
ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲା ପୁଲିସର ସଫଳତାକୁ ପ୍ରଶଂସା କରାଯାଇଥିଲା। ରଥଯାତ୍ରା-୨୦୨୬କୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିଥିବାରୁ ପୁରୀ ଏସ୍ପିଙ୍କୁ ବିଶେଷ ପ୍ରଶଂସା କରାଯାଇଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମ, ଭିଭିଆଇପି ଗସ୍ତ, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ବିପର୍ଯ୍ୟୟ ପ୍ରସ୍ତୁତି ଭଳି ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରାଯାଇଥିଲା। ରଥଯାତ୍ରା ସମୟର ଅଭିଜ୍ଞତାକୁ ଲିପିବଦ୍ଧ କରି ଭବିଷ୍ୟତ ପାଇଁ ଏକ ସ୍ଥାୟୀ ମାନକ ବ୍ୟବସ୍ଥା ଭାବେ ବ୍ୟବହାର କରିବାକୁ ଆଇଜି ପରାମର୍ଶ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ନିକଟରେ ସମାପ୍ତ ହୋଇଥିବା ଗସ୍ତକୁ ସଫଳତାର ସହ ପରିଚାଳନା କରିଥିବାରୁ କଟକ ଏସ୍ପିଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ପୁଲିସ ନଶାମୁକ୍ତ ଭାରତ ଅଭିଯାନରେ ରାଜ୍ୟର ଶ୍ରେଷ୍ଠ ତିନି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଥିବାରୁ ପ୍ରଶଂସିତ ହୋଇଥିଲା। ନିଶା ବିରୋଧୀ ଲଢ଼େଇକୁ କେବଳ ଚଢ଼ାଉ ଓ ଗିରଫଦାରୀରେ ସୀମିତ ନରଖି ଯୋଗାଣକାରୀ, ଅର୍ଥ ଯୋଗାଣକାରୀ ଏବଂ ନିଶା ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ସହ ଯୁବପିଢ଼ି ମଧ୍ୟରେ ସଚେତନତା ବଢ଼ାଇବାକୁ ଆଇଜି ଗୁରୁତ୍ୱ ଦେଇଛନ୍ତି।
ପ୍ରାୟ ୩,୨୦୦ ଲିଟର ଅବୈଧ ମଦ ଜବତ କରିଥିବାରୁ ନୟାଗଡ଼ ପୁଲିସକୁ ପ୍ରଶଂସା କରାଯାଇଥିଲା। ତେବେ କେବଳ ଜବତ ନୁହେଁ, ଏହାର ଉତ୍ସ, ଯୋଗାଣ ଶୃଙ୍ଖଳ, ଅର୍ଥ ଯୋଗାଣକାରୀ ଓ ପୁନରାବୃତ୍ତି ଅପରାଧୀଙ୍କୁ ଚିହ୍ନଟ କରିବା ଉପରେ ଆଇଜି ଜୋର ଦେଇଛନ୍ତି।
ପଟ୍ଟାମୁଣ୍ଡାଇରେ ସାମ୍ପ୍ରଦାୟିକ ଘଟଣାକୁ ସଫଳତାର ସହ ନିୟନ୍ତ୍ରଣ କରିଥିବାରୁ କେନ୍ଦ୍ରାପଡ଼ା ପୁଲିସକୁ ଏବଂ ବନ୍ୟା ପରିସ୍ଥିତିରେ ପ୍ରଭାବଶାଳୀ ପଦକ୍ଷେପ ନେଇଥିବାରୁ ଯାଜପୁର ପୁଲିସକୁ ପ୍ରଶଂସା କରାଯାଇଥିଲା। ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୃଷ୍ଟ ଜଟିଳ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ବେଦନଶୀଳତାର ସହ ପରିଚାଳନା କରିଥିବାରୁ ଜଗତସିଂହପୁର ପୁଲିସକୁ ମଧ୍ୟ ପ୍ରଶଂସା କରାଯାଇଥିଲା।
ଆଗାମୀ ତିନି ମାସ ପାଇଁ ଅପରାଧ ପ୍ରତିରୋଧ ଓ ତଦନ୍ତ, ଆଇନଶୃଙ୍ଖଳା ଏବଂ ପ୍ରତିଷେଧମୂଳକ ପୁଲିସିଂ, ନିଶାମୁକ୍ତ ସମାଜ ଗଠନ, ସାଇବର ଅପରାଧ ନିୟନ୍ତ୍ରଣ ଓ ବିଧାନସଭା ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ ପ୍ରମୁଖ ପ୍ରାଥମିକତା ଦିଆଯାଇଛି।
ଜିଲ୍ଲା ପୁଲିସକୁ ହତ୍ୟା, ଲୁଟ୍, ଚୋରି, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍ଡିପିଏସ୍ ମାମଲା ଏବଂ ସାଇବର ଅପରାଧ ଉପରେ ନଜର ରଖିବା ସହ ଅପରାଧପ୍ରବଣ ଅଞ୍ଚଳ, ଅଭ୍ୟାସଗତ ଅପରାଧୀ ଓ ନୂଆ ଅପରାଧ ପ୍ରବୃତ୍ତି ଚିହ୍ନଟ କରି ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନେବାକୁ କୁହାଯାଇଛି।
ସାଇବର ଅପରାଧ ରୋକିବା ପାଇଁ ଜିଲ୍ଲା ସାଇବର ସେଲ୍ଗୁଡ଼ିକୁ ଅଧିକ ସକ୍ରିୟ କରିବା, ଠକେଇ ନେଟୱର୍କ, ମ୍ୟୁଲ୍ ଆକାଉଣ୍ଟ ଓ ଡିଜିଟାଲ୍ ପେମେଣ୍ଟ ଟ୍ରେଲ୍ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଛି। ସାଇବର ଠକେଇ ଘଟିଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍ରେ ଯୋଗାଯୋଗ ଏବଂ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ ବ୍ୟବହାର ନେଇ ଜନସଚେତନତା ବୃଦ୍ଧି କରିବାକୁ କୁହାଯାଇଛି।
ବିଧାନସଭା ସମ୍ପର୍କିତ ବ୍ୟବସ୍ଥା ପାଇଁ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସମ୍ଭାବ୍ୟ ଅଶାନ୍ତି ସୃଷ୍ଟିକାରୀ, ଅପରାଧୀଙ୍କ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଗତିବିଧି, ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା, ରିଜର୍ଭ ଫୋର୍ସ ଓ କ୍ୱିକ୍ ରିସ୍ପନ୍ସ ଟିମ୍ ମୁତୟନ ନେଇ ଆଗୁଆ ପ୍ରସ୍ତୁତି କରିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସମ୍ପର୍କିତ ଦାୟିତ୍ୱରେ ନିରପେକ୍ଷତା, ବୃତ୍ତିଗତ ଦକ୍ଷତା ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
କେନ୍ଦ୍ରାଞ୍ଚଳର ବିଭିନ୍ନ ଜିଲ୍ଲାର ସଫଳ ପଦକ୍ଷେପ ଓ ଅଭିଜ୍ଞତାକୁ ଅନ୍ୟ ଜିଲ୍ଲାରେ ଅନୁକରଣ କରିବା ପାଇଁ ଶ୍ରେଷ୍ଠ ପଦ୍ଧତିଗୁଡ଼ିକର ଆଦାନପ୍ରଦାନକୁ ପ୍ରତିଷ୍ଠାନଗତ ରୂପ ଦେବାକୁ ଆଇଜି ପ୍ରସ୍ତାବ ଦେଇଛନ୍ତି।
ପୁଲିସର ବିଶ୍ୱସନୀୟତା କେବଳ ଅପରାଧ ପରିସଂଖ୍ୟାନରେ ନୁହେଁ, ବରଂ ଜନସାଧାରଣ କେତେ ସୁରକ୍ଷିତ ଓ ଆଶ୍ୱସ୍ତ ଅନୁଭବ କରୁଛନ୍ତି, ତାହା ଉପରେ ନିର୍ଭର କରେ ବୋଲି ଡ. ନାୟକ କହିଛନ୍ତି। କେନ୍ଦ୍ରାଞ୍ଚଳକୁ ଅଧିକ ସୁରକ୍ଷିତ, ଦାୟିତ୍ୱଶୀଳ, ବୃତ୍ତିଗତ ଓ ଜନକୈନ୍ଦ୍ରିକ କରିବା ପାଇଁ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।