ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ ଆଲାମଙ୍କ ଦ୍ୱାରା ଭୋଟର ତାଲିକା ସମୀକ୍ଷା ।

0 4

ମାଲକାନଗିରି,୦୮/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ସୁପର ଚେକିଂ ଏବଂ କ୍ଷେତ୍ରସ୍ତରୀୟ ଯାଞ୍ଚ କରିଛନ୍ତି ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମହମ୍ମଦ ସାଦିକ ଆଲାମ। ସେ ନିଜେ ସୁପର ଚେକିଂ ଅଧୀନରେ ଦାବି ଓ ଆପତ୍ତି ଗ୍ରହଣ ସମୟରେ ଆସିଥିବା ଆବେଦନଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଏବଂ ସମ୍ପୃକ୍ତ ମାମଲା ରେକର୍ଡଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭୋଟର ତାଲିକା ସଂଶୋଧନର ପ୍ରତ୍ୟେକ ଦିଗକୁ ସାଦିକ ଆଲାମ ଅତି ଗୁରୁତ୍ୱର ସହ ଅନୁଧ୍ୟାନ କରିଥିଲେ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ରହି ଜିଲ୍ଲାର ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଚାଲିଥିବା ଫର୍ମ ପ୍ରକ୍ରିୟାକରଣ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।ସମୀକ୍ଷା ଅବସରରେ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ସାଦିକ ଆଲାମ କହିଛନ୍ତି, ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଭୁଲ, ସ୍ୱଚ୍ଛ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରସ୍ତୁତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୌଣସି ଯୋଗ୍ୟ ନାଗରିକ, ବିଶେଷ କରି ନୂତନ ଯୁବ ଭୋଟର ଯେପରି ନାମ ପଞ୍ଜୀକରଣରୁ ବଞ୍ଚିତ ନହୁଅନ୍ତି ଏବଂ ସମସ୍ତ ଦାବି ଓ ଆପତ୍ତିର ସଠିକ୍ ଆଇନଗତ ନିଷ୍ପତ୍ତି ହୁଏ, ସେଥିପ୍ରତି ପ୍ରଶାସନିକ ସ୍ୱଚ୍ଛତା ଓ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଗସ୍ତ କାଳରେ ଶ୍ରୀ ସାଦିକ ଆଲାମ ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରି ଭୋଟର ତାଲିକାର ସ୍ୱଚ୍ଛତା ସମ୍ପର୍କରେ ମତାମତ ଗ୍ରହଣ କରିଥିଲେ। ଏହା ସହିତ ନୂତନ ଭୋଟରମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରି ସେମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା, ସୁବିଧା ସୁଯୋଗ ଏବଂ ସେମାନଙ୍କର ପ୍ରଥମ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟନିର୍ବାହୀ ବୈଠକରେ ଫର୍ମ-୬ (ନୂତନ ଭୋଟର), ଫର୍ମ-୭ (ନାମ ବାଦ୍‌) ଏବଂ ଫର୍ମ-୮ (ସଂଶୋଧନ/ସ୍ଥାନାନ୍ତର) ଆବେଦନଗୁଡ଼ିକର ଶୁଣାଣି, ମାମଲା ରେକର୍ଡ ସଂରକ୍ଷଣ ଏବଂ ସେଗୁଡ଼ିକର ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବା ସମ୍ପର୍କରେ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.