ସମ୍ବଲପୁର, ୦୭/୦୯: ଛାତ୍ରଙ୍କ ଜୀବନରେ ଡିଗ୍ରୀ ଦ୍ୱାର ଖୋଲିବ ଏବଂ ନିଷ୍ପତ୍ତି ଜୀବନ ଗଢ଼ିବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ସୋମବାର ଦିନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।
ପରିବର୍ତ୍ତନଶୀଳ ବିଶ୍ୱରେ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ନିରନ୍ତର ଶିକ୍ଷା, ପରିବର୍ତ୍ତନ ସହ ଖାପ ଖୁଆଇବା ସହ ପ୍ରଯୁକ୍ତି ଓ ଉଦ୍ୟୋଗୀ ଦକ୍ଷତା ହାସଲ କରିବାକୁ ସ୍ନାତକ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଏତତବ୍ୟତୀତ ରାଜ୍ୟପାଳ କହିଛନ୍ତି ଯେ ଆଧୁନିକ ବିଶ୍ୱରେ ସେମାନେ ହିଁ ସବୁଠୁ ଅଧିକ ସଫଳ ହେବେ, ଯେଉଁମାନେ ଶିଖିବେ, ଅପ୍ରଚଳିତ ଚିନ୍ତାଧାରାକୁ ଦୁରେଇ ଦେବେ ଓ ପୁନଃ ଶିଖିବାର କ୍ଷମତା ରଖିବେ।
ଏହି ସମାରୋହରେ ରାଜ୍ୟପାଳ ନିଜର ଉଦବୋଧନରେ ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା ଦର୍ଶାଇ କହିଛନ୍ତି ଯେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମହାକାଶ, ଡିଜିଟାଲ ପ୍ରଯୁକ୍ତି, ଉତ୍ପାଦନ, ସ୍ୱାସ୍ଥ୍ୟସେବା, କୃଷି ଓ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେଉଥିବା ବେଳେ ଏହାର ଲାଭ ପ୍ରସ୍ତୁତ ଥିବା ଯୁବପିଢ଼ି ହିଁ ଉଠାଇପାରିବେ।
ପୁଣି ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (NEP) ୨୦୨୦ରେ ସାମଗ୍ରିକ, ବହୁବିଷୟକ, ଅନୁଭୂତିଭିତ୍ତିକ ଓ ଦକ୍ଷତାଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନୀତିକୁ ଆଗେଇ ନେବାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ, ଲୋକପରମ୍ପରା ଓ ପାରମ୍ପରିକ ଜ୍ଞାନକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟ କାରିଗର, ଡିଜାଇନର, ପ୍ରଯୁକ୍ତିବିଦ୍, ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ଆବଶ୍ୟକ। ପାରମ୍ପରିକ କଳା ସହ ଡିଜାଇନ୍ ଚିନ୍ତନ, ଡିଜିଟାଲ ମାର୍କେଟିଂ, ଇ-କମର୍ସ ଓ ବିଶ୍ୱ ବଜାର ସମ୍ପର୍କିତ ଜ୍ଞାନକୁ ଯୋଡ଼ିଲେ ସ୍ଥାନୀୟ ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚିପାରିବ।
ଶକ୍ତି କ୍ଷେତ୍ରରେ ସୌର, ପବନ, ଗ୍ରୀନ୍ ହାଇଡ୍ରୋଜେନ୍, ଶକ୍ତି ସଂରକ୍ଷଣ, ଇଲେକ୍ଟ୍ରିକ୍ ମୋବିଲିଟି, ବାୟୋଏନର୍ଜି ଓ ଶକ୍ତି ଦକ୍ଷତା ଭଳି କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସୁଯୋଗ ଖୋଜିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଲୋକ ଭବନକୁ IGBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ସିଷ୍ଟମ୍ରେ ପ୍ଲାଟିନମ୍ ସାର୍ଟିଫିକେସନ୍ ମିଳିଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ ସ୍ଥାୟୀ ବିକାଶ କେବଳ ଏକ ଧାରଣା ନୁହେଁ, ଏହାକୁ ଶିକ୍ଷାନୁଷ୍ଠାନରେ ଅନୁସରଣ କରାଯାଇପାରେ।
ସ୍ନାତକମାନଙ୍କୁ ନିଜ ଶିକ୍ଷାକୁ ସମାଜର ବୃହତ୍ତର ମଙ୍ଗଳରେ ବ୍ୟବହାର କରିବାକୁ ଆହ୍ୱାନ ଦେଇ ରାଜ୍ୟପାଳ କହିଛନ୍ତି ଯେ ଆପଣଙ୍କ ଡିଗ୍ରୀ ଏକ ଦ୍ୱାର ଖୋଲିଥାଏ, କିନ୍ତୁ ଆପଣଙ୍କ ପସନ୍ଦ ଆପଣଙ୍କ ଜୀବନକୁ ପରିଭାଷିତ କରିବ। ଓଡ଼ିଶାର ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ବିଶ୍ୱର ଶ୍ରେଷ୍ଠ ଚିନ୍ତାଧାରାକୁ ଓଡ଼ିଶାକୁ ଆଣିବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉଦ୍ବୋଧନ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ବିଭିନ୍ନ ଡିଗ୍ରୀ ପ୍ରଦାନ କରିଥିଲେ।