ମାଲକାନଗିରି ,୦୭/୦୯(ପିପିଟି):କଳିଙ୍ଗନଗରସ୍ଥିତ ଟାଟା ଗ୍ରୁପ୍ର ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୮ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ଏନେଇ ବାଲିମେଳା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁଲଦୀପ (୬୬) ଲୋକନାଥ ମହାନ୍ତିଙ୍କ ବିରୋଧରେ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୨୦ ମସିହାରେ ଭୁବନେଶ୍ୱରରେ ରାଜେନ୍ଦ୍ର କୁଲଦୀପଙ୍କ ସହ ଲୋକନାଥ ମହାନ୍ତିଙ୍କ ପରିଚୟ ହୋଇଥିଲା। ଲୋକନାଥ ନିଜକୁ କଳିଙ୍ଗନଗରର ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଭାବେ ପରିଚୟ ଦେବା ସହ ଷ୍ଟିଲ୍ ପ୍ଲାଣ୍ଟର ଏଚ୍ଆର୍ ମ୍ୟାନେଜରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କହିଥିଲେ। ଟଙ୍କା ଦେଲେ ବିଭିନ୍ନ ବର୍ଗରେ ଚାକିରି କରାଇଦେବା ସମ୍ଭବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଦୁଇ ପୁଅଙ୍କ ଚାକିରି ଆଶାରେ ରାଜେନ୍ଦ୍ର ସେମାନଙ୍କ ବାୟୋଡାଟା ଲୋକନାଥଙ୍କୁ ଦେଇଥିଲେ। ପରେ ବାୟୋଡାଟା ଯାଞ୍ଚ ସରିଥିବା ଦର୍ଶାଇ ଚାକିରି ପାଇଁ ଟଙ୍କା ଦାବି କରାଯାଇଥିଲା। ଏହାପରେ ରାଜେନ୍ଦ୍ର ବିଭିନ୍ନ ୟୁପିଆଇ ମାଧ୍ୟମରେ ପର୍ଯ୍ୟାୟକ୍ରମେ ୪ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିବା କହିଛନ୍ତି। ପରବର୍ତ୍ତୀ ସମୟରେ ଆହୁରି ଟଙ୍କା ଆବଶ୍ୟକ ବୋଲି କୁହାଯିବାରୁ ସେ ବାଲିମେଳାର ସୌରା ପଣ୍ଡାଙ୍କଠାରୁ ଋଣ ନେଇ ଲୋକନାଥଙ୍କ ପତ୍ନୀଙ୍କ ନାମରେ ଥିବା ବ୍ୟାଙ୍କ ଖାତାକୁ ଆର୍ଟିଜିଏସ୍ ମାଧ୍ୟମରେ ଆଉ ୪ ଲକ୍ଷ ଟଙ୍କା ପଠାଇଥିଲେ। ଏପରି ଭାବେ ମୋଟ ୮ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିବା ସେ ଦାବି କରିଛନ୍ତି। ତେବେ ଟଙ୍କା ନେବା ପରେ ଚାକିରି ଦେବା ବଦଳରେ ଲୋକନାଥ ବାରମ୍ବାର ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଶେଷରେ ରାଜେନ୍ଦ୍ର କୁଲଦୀପ ଓର୍କେଲ ଥାନାର ଦ୍ୱାରସ୍ଥ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଠକେଇ ଟଙ୍କା ଫେରସ୍ତ ଦାବି କରିଛନ୍ତି। ଅଭିଯୋଗ ଆଧାରରେ ଓର୍କେଲ ପୁଲିସ ମାମଲା ନମ୍ବର ୨୫୬/୨୬ ରୁଜୁ କରିଛି। ଅଭିଯୁକ୍ତଙ୍କ ବ୍ୟାଙ୍କ କାରବାର ସମ୍ବନ୍ଧୀୟ ତଥ୍ୟ ଓ କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ସଂଗ୍ରହ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)