ଯାଜପୁର,୦୭/୦୯(ପିପିଟି): ବର୍ଷା ଓ ବନ୍ୟା ଯାଜପୁରବାସୀଙ୍କ ପାଇଁ ପ୍ରତିବର୍ଷ ନୂଆ ସଙ୍କଟ ନେଇ ଆସୁଛି। କେତେବେଳେ ବନ୍ୟାରେ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି, ତ ଆଉ କେତେବେଳେ ବନ୍ୟା ପରବର୍ତ୍ତୀ ଜଳବାହିତ ରୋଗ ଜିଲ୍ଲାରେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ଗତବର୍ଷ ଡାଇରିଆ ଓ ହଇଜାରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷ ବର୍ଷା, ବନ୍ୟା, ନଦୀରେ ଭାସିଯିବା ଓ ସରୀସୃପ ଆକ୍ରମଣ ଭଳି ଘଟଣାରେ ଆଉ ୧୨ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଏହି ହିସାବ ବିପର୍ଯ୍ୟୟ ପରିଚାଳନା ଓ ଜନସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ଚଳିତବର୍ଷ ଜୁଲାଇ ପ୍ରଥମ ସପ୍ତାହରୁ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୈତରଣୀର ଜଳସ୍ତର ବଢ଼ିଥିଲା। ପରବର୍ତ୍ତୀ ସମୟରେ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ବାରମ୍ବାର ଜଳସ୍ତର ବୃଦ୍ଧି ହେବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିଲା। ଲଗାତାର ୫ରୁ ୬ଟି ବନ୍ୟା ଯୋଗୁଁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ଘରଦ୍ୱାର, ଚାଷବାସ ଓ ଜୀବିକା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କେତେକ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ ବଣ୍ଟନକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ବନ୍ୟାଜନିତ ଦୁର୍ଘଟଣାରେ ଏକାଧିକ ଜୀବନହାନି ହୋଇଛି। ଯାଫରପୁର ଅଞ୍ଚଳର କିଶୋର ସାହୁ ବୁଢ଼ା ନଦୀରେ ଭାସିଯାଇଥିବା ବେଳେ ଧର୍ମଶାଳା ଅଞ୍ଚଳର ପବିତ୍ର ମଲ୍ଲିକ ଓ କାଳନ୍ଦୀଚରଣ ପ୍ରଧାନ ବ୍ରାହ୍ମଣୀରେ ବୁଡ଼ି ପ୍ରାଣ ହରାଇଥିଲେ। ପାଣିକୋଇଲି ଅଞ୍ଚଳର ଗୋପାଳଚନ୍ଦ୍ର ସାହୁ ଚାଷଜମିକୁ ଯାଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଏହାବ୍ୟତୀତ ହରିହର ଜେନାଙ୍କୁ କୁମ୍ଭୀର ଟାଣି ନେଇଥିବା ଏବଂ ଜଗବନ୍ଧୁ ସାହୁ ଖରସ୍ରୋତାରେ ଭାସିଯାଇଥିବା ଘଟଣା ମଧ୍ୟ ଚିନ୍ତା ବଢ଼ାଇଛି।
ଅନ୍ୟପକ୍ଷରେ, ବନ୍ୟାଜଳ ହ୍ରାସ ପାଇବା ସହ ଏବେ ଦ୍ୱିତୀୟ ପର୍ଯ୍ୟାୟର ବିପଦ ଆଶଙ୍କା କରାଯାଉଛି। ଦୂଷିତ ପାନୀୟଜଳ, ଜମି ରହିଥିବା ପାଣି, ନଷ୍ଟ ଖାଦ୍ୟ ଓ ଅପରିଷ୍କାର ପରିବେଶ ଯୋଗୁଁ ଡାଇରିଆ, ହଇଜା ଓ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ବନ୍ୟାପାଣି ହଟିବା ପରେ ସାପ ଓ କୁମ୍ଭୀର ଭଳି ସରୀସୃପଙ୍କ ଉପଦ୍ରବ ମଧ୍ୟ ବଢ଼ିପାରେ।
ଗତବର୍ଷର ସ୍ୱାସ୍ଥ୍ୟ ସଙ୍କଟ ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଓ ଜନସଚେତନତା ବଢ଼ାଇବାର ଆଶ୍ୱାସନ ଦିଆଯାଇଥିଲା। ଏବେ କେବଳ ରିଲିଫ୍ ଓ ଉଦ୍ଧାରରେ ସୀମିତ ନରହି ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ବିପଦ ଏବଂ ଜନସୁରକ୍ଷା ଉପରେ ତୁରନ୍ତ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡ଼ିଛି।