ମାଲକାନଗିରି,୦୨/୦୯(ପିପିଟି):ଆଠ କେଜି କଇଁଛ ମାଂସ ମାଂସ ଚୋରା ଚାଲାଣ ହେଉଥିବା ସମୟରେ ମୋଟୁ ବନ କର୍ମଚାରୀମାନେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଅଭିଯୁକ୍ତ ମାନେ ଜୀବନ୍ତ କଇଁଛ ଚୋରା ଚାଲାଣ କରୁଥିବା ବେଳେ ବର୍ତ୍ତମାନ ଅଭିନବ ଉପାୟ ଅବଲମ୍ବନ କରି କଇଁଛ କୁ ମାରି ମାଂସ ଚୋରା ଚାଲାଣ କରୁଥିବା ଘଟଣାର ପର୍ଦ୍ଧାଫାଶ ହୋଇଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମୋଟୁ ବନାଞ୍ଚଳ କର୍ମଚାରୀମାନେ ଚଢ଼ଉ
କରି ସେମାନଙ୍କ ନିକଟରୁ ପ୍ରାୟ ୮ କିଲୋଗ୍ରାମ୍ କଇଁଛ ମାଂସ ଜବତ କରିଛନ୍ତି। ମୋଟୁ ଅଞ୍ଚଳର କୋଣ୍ଟା ବ୍ରିଜ୍ ନିକଟରେ କଇଁଛ ମାଂସ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ଅଧିକାରୀମାନେ ଚଢ଼ଉ କରିଥିଲେ । କଇଁଛ ମାଂସ ଚୋରା ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ରେ ହାଜର କରାଯାଇଛି। ସେମାନେ ହେଲେ ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି -୪୨ ଗ୍ରାମର ପରିତୋଷ ମିସ୍ତ୍ରୀ(୪୫)ଏବଂ ଛତିଶଗଡ଼ ରାଜ୍ୟ କୋଣ୍ଟା ଅଞ୍ଚଳ ଗାନ୍ଧୀ ଛକ ବାସିନ୍ଦା ଦୁଲାଲ ସରକାର (୫୫) ବୋଲି ଜଣା ପଡିଛି।
ତଦନ୍ତ ସମୟରେ ସେମାନଙ୍କ ନିକଟରୁ ପ୍ରାୟ ୮ କିଲୋଗ୍ରାମ୍ ସଫ୍ଟ-ସେଲ୍ କଇଁଛର ମାଂସ ଜବତ କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ବେଆଇନ ଭାବେ ବନ୍ୟପ୍ରାଣୀ ମାଂସ ରଖିବା ଓ ଚାଲାଣ ଅଭିଯୋଗରେ ମୋଟୁ ରେଞ୍ଜରେ ମାମଲା ରୁଜୁ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)