ଡାଟା-ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୟୁଏନ୍‌ଡିପି ଏବଂ ସିଭିକ୍ ଡାଟା ଲ୍ୟାବ୍ ସହିତ ଓସ୍‌ଡମାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ।

0 257

ଭୁବନେଶ୍ୱର,୦୨/୦୯(ପିପିଟି):ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଡାଟା-ଭିତ୍ତିକ, ବୈଜ୍ଞାନିକ ଏବଂ ପ୍ରଯୁକ୍ତିସମ୍ପନ୍ନ ତଥା ସୁଦୃଢ଼ କରିବା ଦିଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ଓସ୍‌ଡମା (OSDMA)ପକ୍ଷରୁ ଆଜି ଲୋକସେବା ଭବନ କନଭେନସନ ସେଣ୍ଟରଠିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା ୟୁଏନ୍‌ଡିପି (UNDP) ଏବଂ ସିଭିକ୍ ଡାଟା ଲ୍ୟାବ୍ (CivicDataLab) ସହିତ ଏହି ସହଭାଗିତା ସ୍ଥାପନ କରାଯାଇଛି। ଏହି ଦୁଇଟି ପ୍ରମୁଖ ସହଯୋଗିତା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ସହିତ ରାଜ୍ୟକୁ ଏକ ବିପର୍ଯ୍ୟୟ ସହନଶୀଳ ଓ ସୁରକ୍ଷିତ ରାଜ୍ୟରେ ପରିଣତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ୟୁଏନ୍‌ଡିପି (UNDP) ଭାରତର ଆବାସିକ ପ୍ରତିନିଧି ଆଞ୍ଜେଲା ଲୁସିଗି ଏବଂ ସିଭିକ୍ ଡାଟା ଲ୍ୟାବ୍‌ର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ଶ୍ରୀ ଗୌରବ ଗୋଧୱାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। OSDMA ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଥିଲେ l ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ଯେ, ବିପର୍ଯ୍ୟୟ ଘଟିବା ପରେ କେବଳ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ବିପର୍ଯ୍ୟୟ ପୂର୍ବରୁ ସଠିକ୍ ତଥ୍ୟ ଆଧାରରେ ପ୍ରସ୍ତୁତ ରହିବା ଏବଂ ବିପଦକୁ ଆକଳନ କରିବା ଆଜିର ସମୟର ଆହ୍ୱାନ। ସଠିକ୍ ତଥ୍ୟ ଆଧାରିତ ନିଷ୍ପତ୍ତି ହିଁ ଲୋକଙ୍କ ଧନଜୀବନ ରକ୍ଷା କରିବା ସହ ବିକାଶମୂଳକ ଯୋଜନାକୁ ଅଧିକ ସୁଦୂରପ୍ରସାରୀ କରିପାରିବ। ସୁବ୍ୟବସ୍ଥିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସ୍ୱୀକୃତିକୁ ଏହି ନୂତନ ସହଭାଗିତା ନୂତନ ପରିଚୟ ଦେବ ।

ସୂଚନାଯୋଗ୍ୟ ଯେ, ଏହି ସହଭାଗିତା ଅଧୀନରେ ଓସ୍‌ଡମା (OSDMA) ଏବଂ ୟୁଏନ୍‌ଡିପି (UNDP) ମିଳିତ ଭାବେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକ ବ୍ୟାପକ ‘ବିପଦ, ଆଶଙ୍କା ଏବଂ ସଂକଟାପନ୍ନ ସ୍ଥିତି ଆକଳନ’ (Hazard, Risk and Vulnerability Assessment – HRVA) କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପ ଅଧୀନରେ ବାତ୍ୟା ଓ ବନ୍ୟା ପ୍ରବଣ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରାମ ସ୍ତରରୁ ଏବଂ ଅବଶିଷ୍ଟ ୨୦ଟି ଜିଲ୍ଲାରେ ଗ୍ରାମ ପଞ୍ଚାୟତ ସ୍ତରରୁ ତଥ୍ୟ ସଂଗ୍ରହ କରାଯିବ। ଏହି ସମସ୍ତ ତଥ୍ୟକୁ ନେଇ ଏକ ଡାଇନାମିକ୍ GIS-ସକ୍ଷମ ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ ହେବ, ଯାହା ଜଳବାୟୁ ପରିବର୍ତ୍ତନ ଅନୁସାରେ ନିୟମିତ ଅପଡେଟ୍ ହୋଇପାରିବ ଏବଂ ଜିଲ୍ଲା ସ୍ତରୀୟ ରିସ୍କ ଆଟଲାସ୍ ତଥା ନୀତି ନିର୍ଦ୍ଧାରଣରେ ସହାୟକ ହେବ। ଏହି HRVA ଆକଳନ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସ୍ତୁତ ହେବ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁସାରେ ଏହାକୁ ସମୟାନୁସାରେ ଅପଡେଟ୍ (Dynamic Update) କରାଯାଇପାରିବ। ଏହାଦ୍ୱାରା ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ, ପୂର୍ବ ପ୍ରସ୍ତୁତି, ଜଳବାୟୁ ସହନଶୀଳତା ଏବଂ ଦୀର୍ଘସ୍ଥାୟୀ ବିକାଶ ମୂଳକ ଯୋଜନା ପାଇଁ ଏକ ସଠିକ୍ ଓ ବୈଜ୍ଞାନିକ ଆଧାର ବ୍ୟବସ୍ଥା ଉପଲବ୍ଧ ହେବ l

ବିପର୍ଯ୍ୟୟ ପରିଚାଳନା ତଥା ସ୍ଥାନୀୟ ସମୁଦାୟର ସହନଶୀଳତା, ପୂର୍ବପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧିରେ UNDP ର ଦୀର୍ଘ ବର୍ଷର ବିଶ୍ୱସ୍ତରୀୟ ତଥା ଜାତୀୟ ଅଭିଜ୍ଞତା ଓଡ଼ିଶାକୁ ଏହି କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି l

ଅନ୍ୟପକ୍ଷରେ, ସିଭିକ୍ ଡାଟା ଲ୍ୟାବ୍ ସହିତ ହୋଇଥିବା ଅଣ-ଆର୍ଥିକ ଚୁକ୍ତିନାମା ଓଡ଼ିଶାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଏକ ସ୍ୱତନ୍ତ୍ର ‘ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର’ ଗଠନ କରିବ। ଏହି ସଂସ୍ଥା ନିଜର ‘ଇଣ୍ଟେଲିଜେଣ୍ଟ ଡାଟା ସଲ୍ୟୁସନ୍ସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍’ (IDS-DRR) ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ବିଭାଗର ତଥ୍ୟକୁ ଏକତ୍ରିତ କରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ସମସ୍ତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) ମାନଙ୍କ ପାଇଁ ରିଅଲ-ଟାଇମ୍ ଡ୍ୟାସବୋର୍ଡ ଏବଂ ବିଶ୍ଳେଷଣାତ୍ମକ ତଥ୍ୟ ଉପଲବ୍ଧ କରାଇବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନଦୀ ବନ୍ୟା, ଉପକୂଳବର୍ତ୍ତୀ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ/ଅଂଶୁଘାତ ଜନିତ ବିପଦ ଉପରେ ଏହା ସଠିକ୍ ପୂର୍ବାନୁମାନ ଓ ତ୍ଵରିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହି ବ୍ୟବସ୍ଥା ଦ୍ଵାରା ବିଭିନ୍ନ ବିଭାଗ ଓ ଉତ୍ସରୁ ମିଳୁଥିବା ତଥ୍ୟକୁ ଏକତ୍ରିତ ତଥା ସମନ୍ଵିତ କରି ଏକ ମାନକ ରୂପ ଦିଆଯିବ।

ଏହି ଦୁଇଟି ବୁଝାମଣାପତ୍ର ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପାରମ୍ପରିକ ପଦ୍ଧତିରୁ ଉର୍ଦ୍ଧ୍ୱକୁ ନେଇ ସମ୍ପୂର୍ଣ୍ଣ ବୈଜ୍ଞାନିକ, ଡାଟା-ଭିତ୍ତିକ ଏବଂ ଡିଜିଟାଲ୍ ଭାବେ ଅଧିକ ଶକ୍ତିଶାଳୀ କରିବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍, OSDMAର ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର, OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ବିଭାଗୀୟ ଅଧିକାରୀବୃନ୍ଦ, କୃଷି, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ମିଶନ ଶକ୍ତି, ଜଳସଂପଦ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.