ମାଓବାଦୀଙ୍କ ଦ୍ବାରା ପୋତାଯାଇ ଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର ।

0 64

ମାଲକାନଗିରି, ୨୬/୦୮(ପିପିଟି):ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ପରେ ମାଥିଲି ଥାନା ଅଞ୍ଚଳରେ ଏକ ବଡ଼ ମାଓବାଦୀ ଡମ୍ପ ଠାବ ହୋଇଛି। ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ବିନୋଦ ପାଟିଲଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ମାଥିଲି ଥାନା ଅଧୀନସ୍ଥ ଚେରକୋଟଲା- କିର୍ମିଟି, କୋଟୱାପଦର ଓ କଡ଼ଭଟା ଜଙ୍ଗଲରେ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୫ଟା ୩୦ ରେ ମାଓବାଦୀ ଦ୍ବାରା ପୋତାଯାଇ ଥିବା ବିନ୍ଧୁକ ତଥା ବିସ୍ଫୋକ ସାମଗ୍ରୀ ଠାବ କରାଯାଇଥିଲା। ଏହି ସ୍ଥାନଟି ଛତିଶଗଡ଼ର ଦରଭା ଓ ପୁଷପାଲ ଥାନା ସୀମାକୁ ଲାଗି ରହିଛି। ପୋତା ଯାଇଥିବା ମାଟି ତଳୁ ରୁ ୩ଟି ଦେଶୀ ବନ୍ଧୁକ, ୫ କେଜିର ଗୋଟିଏ ଆଇଇଡି, ୩ କେଜିର ୨ଟି ଓ ୨ କେଜିର ଗୋଟିଏ ଆଇଇଡି, ୨ଟି କ୍ଲେମୋର ମାଇନ୍‌, ୨ଟି ଆଇଇଡି ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏଥିସହ ମାଓବାଦୀଙ୍କ ପୋଷାକ, ପ୍ରଚାର ପତ୍ର, ରେଡିଓ ଆଣ୍ଟେନା, ବ୍ୟାଟେରି, ତାର, ଛୁରି, ଟର୍ଚ୍ଚ, ବ୍ୟାଗ ଓ ବିଭିନ୍ନ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ସାମଗ୍ରୀ ଏଓବିଏସ୍‌ଜେଡ୍‌ସିର ମାଓବାଦୀ କ୍ୟାଡରଙ୍କର ବୋଲି ସନ୍ଦେହ କରାଯାଉଛି। ମାଓବାଦୀଙ୍କ ଦ୍ୱାରା ସୁରକ୍ଷାବାହିନୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିବା ପାଇଁ ଏସବୁ ସାମଗ୍ରୀ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଲକାନଗିରି ନକ୍ସଲମୁକ୍ତ ହୋଇଥିବା ବେଳେ ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୩୧, ୨୦୨୬ ମଧ୍ୟରେ ୨ ନକ୍ସଲ ଗିରଫ ଓ ୨୩ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି। ଜୁନ୍‌ ମାସରେ ୩ଟି ବଡ଼ ମାଓବାଦୀଙ୍କ ଦ୍ବାରା ପୋତାଯାଇ ଥିବା ବିସ୍ଫୋରକ ଗଦା ଠାବ କରାଯାଇଥିଲା ବେଳେ ଆଗାମୀ ଦିନରେ ମାଓବାଦୀଙ୍କ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ପାଇଁ ଏସୋଜି ଓ ଡିଭିଏଫ ପକ୍ଷରୁ କମ୍ବିଂ ଅଭିଯାନ ଜାରି ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.