ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

0 285

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ /୦୮(ପିପିଟି ):ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଛି।

ଏହି ସାକ୍ଷାତକାର ସମୟରେ, ଆସନ୍ତା ୨୮ ଅଗଷ୍ଟ ୨୦୨୬ (ରାଖୀ ପୂର୍ଣ୍ଣିମା) ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଜରିଆରେ ୫,୦୦୦ ଟଙ୍କା ଲେଖାଏଁ ପାଇବେ। ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ, ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପାଇଁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀମତୀ ପରିଡ଼ା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ବିଶେଷ କରି ହିତାଧିକାରୀଙ୍କ ଯାଞ୍ଚ, ଇ-କେୱାଇସି (e-KYC), ଆଧାର-ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନପିସିଆଇ (NPCI) ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି, ଯାହାଦ୍ୱାରା ବିନା କୌଣସି ବିଳମ୍ବରେ ଆର୍ଥିକ ସହାୟତା ପହଞ୍ଚିପାରିବ।

ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବାରେ ଏହି ପଞ୍ଚମ କିସ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୪ ରେ ଭୁବନେଶ୍ୱରଠାରେ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କର ଏହି ପ୍ରମୁଖ ମହିଳା-କେନ୍ଦ୍ରିକ ଯୋଜନାର ଲକ୍ଷ୍ୟ ହେଉଛି ୫ ବର୍ଷ ମଧ୍ୟରେ ଯୋଗ୍ୟ ମହିଳାମାନଙ୍କୁ ମୋଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା। ଏହି ରାଶି ବାର୍ଷିକ ୧୦,୦୦୦ ଟଙ୍କା ହିସାବରେ ଦୁଇଟି ସମାନ କିସ୍ତିରେ (ପ୍ରତ୍ୟେକ କିସ୍ତିରେ ୫,୦୦୦ ଟଙ୍କା) Direct Benefit Transfer (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି।

‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଏହି ପଞ୍ଚମ କିସ୍ତି ଅନ୍ୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରିବା ସହ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସ୍ୱଚ୍ଛ ଓ କାର୍ଯ୍ୟକ୍ଷମ ଭାବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି।

Leave A Reply

Your email address will not be published.