ଖଣି ଓ ଖଣିଜ ( ବିକାଶ ଓ ନିୟନ୍ତ୍ରଣ) ଆଇନ ୨୦୨୬ ପ୍ରତ୍ୟାହାର କରିବା ପାଇଁ ୪ଟି ବାମପନ୍ଥୀ ଦଳର ଆହ୍ବାନ ।

0 92

ବ୍ରହ୍ମପୁର,୨୫/୦୮(ପିପିଟି):କେନ୍ଦ୍ରର ଭାଜପା ସରକାର ବଡ ଖଣି କମ୍ପାନୀଙ୍କ ମୁନାଫା ପାଇଁ ସଂସଦରେ ବିନା ଆଲୋଚନାରେ ଅତ୍ୟନ୍ତ ତରବରିଆ ଭାବେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନରେ ଯେଉଁ ସଂଶୋଧନ କରିଛନ୍ତି, ତାହା ଓଡିଶା ସମେତ ସମସ୍ତ ଖଣି ବହୁଳ ରାଜ୍ୟ ଓ ତାର ଜନସାଧାରଣଙ୍କ ଭୟଙ୍କର କ୍ଷତି କରିବାକୁ ଯାଉଛି । ଏହି ସଂଶୋଧନ ଜରିଆରେ କେନ୍ଦ୍ର ସରକାର ଦେଶର ଖଣିଜ ସମ୍ପଦକୁ ବଡ଼ ବଡ଼ କର୍ପୋରେଟ୍ ଗୋଷ୍ଠୀଙ୍କ ହାତରେ ସହଜରେ ଟେକିଦେବା ସହ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରିବାକୁ ଯାଉଛନ୍ତି ବୋଲି ଚାରୋଟି ବାମଫନ୍ଥୀ ଦଳ ଏକ ମିଳିତ ସାମ୍ଵାଦିକ ସମ୍ମିଳନୀରେ କୁହାଯାଇଛି ।

ଆଜି ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମ ପରିସରରେ ଅନୁଷ୍ଠିତ ୪ ଟି ବାମପନ୍ଥୀ ଦଳ ଯଥା ସି.ପି.ଆଇ(ଏମ୍ ଏଲ୍) ନିଉ ଡେମୋକ୍ରାସୀ, ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର, ସି.ପି.ଆଇ((ଏମ୍ ଏଲ୍) ଓ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖି ବାମପନ୍ଥୀ ନେତାମାନେ କହିଥିଲେ ଯେ ରାଜ୍ୟର ଖଣି ଉପରେ ରାଜ୍ୟ ସରକାରଙ୍କ ଅଧିକାର ଓ ଆର୍ଥିକ ସ୍ଵାର୍ଥ ବିରୁଦ୍ଧରେ କେନ୍ଦ୍ର ସରକାର ଏକଚାଟିଆ ନୀତି ଗ୍ରହଣ କରି ସଂସଦରେ ଏହି ସଂଶୋଧନ ଆଣିଥିବା ବେଳେ ରାଜ୍ୟର ୨୧ ଜଣରୁ ୨୦ ଜଣ ବିଜେପି ସାଂସଦ ଚୁପ୍ ରହି ସମର୍ଥନ କରିବା ଲଜ୍ଜାଜନକ ଅଟେ ।

ନୂତନ ଖଣି ଆଇନର ଧାରା ୯-ଘ, ରାଜ୍ୟଗୁଡ଼ିକର ଖଣିଜ ସମ୍ପଦ ଉପରେ ରାଜସ୍ୱ ଆଦାୟ କରିବାର ଅଧିକାରକୁ ସଂକୁଚିତ କରୁଛି । ଏହି ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର ଏବେ ଆଉ ରାଜ୍ୟର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଅବା ସେସ୍ ଲଗାଇ ପାରିବେ ନାହିଁ । ଟିକସ ଲଗାଇବାର ସମସ୍ତ କ୍ଷମତା ଏବେ ସମ୍ପୂର୍ଣ ରୂପେ କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଛି । ଏହାଦ୍ୱାରା ରାଜ୍ୟ ସରକାର ପ୍ରତିବର୍ଷ ପ୍ରାୟ ୧୫-୨୦ହଜାର କୋଟି ଟଙ୍କା ଖଣି ଟିକସ ବାବଦରେ ହରାଇବେ ।

୨୦୨୪ ଜୁଲାଇରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଓଡ଼ିଶା ନିଜ ଅଧିକାର ଅନୁଯାୟୀ ପିଛିଲା ଖଣିଜ ରାଜସ୍ୱ ବାବଦରେ ପ୍ରାୟ ୧ ଲକ୍ଷରୁ ୧.୨୫ଲକ୍ଷ କୋଟି ଟଙ୍କା ଆଦାୟ କରିବାର ସୁଯୋଗ ପାଇଥିବା ବେଳେ ଏହି ନୂତନ ଆଇନ ଯୋଗୁଁ ଆଉ ରାଜ୍ୟ ତାକୁ ପାଇବ ନାହିଁ । ଏହା ରାଜ୍ୟର ସାମ୍ଵିଧାନିକ ଅଧିକାର ଓ ଆର୍ଥିକ ସ୍ଵାଧୀନତା ଉପରେ ଫାଶିବାଦୀ ଆକ୍ରମଣ ବୋଲି ନିଉ ଡେମୋକ୍ରାସୀର ରାଜ୍ୟ ମୂଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥାପନ କରିଛନ୍ତି।

ଏହି ନୂତନ ଆଇନର ଧାରା ୧୩ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ କ୍ୟାପ୍ଟିଭ୍ ଖଣିର ଖଣିଜକୁ ଖୋଲା ବଜାରରେ ବିକ୍ରି କରିବାର ସୁଯୋଗକୁ ଆହୁରି ବଢ଼ାଯାଇଛି। ଅର୍ଥାତ୍ ସଂଶୋଧିତ ଆଇନ ଅନୁଯାୟୀ କ୍ୟାପ୍ଟିଭ୍‌ ଖଣିରୁ ଉତ୍ପାଦିତ ଖଣିଜର ବାହାରେ ବିକ୍ରି ଉପରେ ଥିବା ପୂର୍ବର ସୀମାକୁ ହଟାଇ ଦିଆଯାଇଛି । ଏବେ କମ୍ପାନୀମାନେ ଯେତିକି ପରିମାଣର ଖଣିଜ ନିଜ କାରଖାନାରେ ବ୍ୟବହାର କରିବେ ଆଉ ସେତିକି ପରିମାଣର ଖଣିଜ ବାହାର ବଜାରରେ ବିକ୍ରି କରିପାରିବେ । ସରକାର କର୍ପୋରେଟମାଧଙ୍କ ଲାଭକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ବିକାଶର ନାମରେ ଖଣି କମ୍ପାନୀ ପାଇଁ ନିଶ୍ଚିତତା, ଦୀର୍ଘ ଲିଜ, ସହଜ ଅନୁସନ୍ଧାନ ଓ ସମସ୍ତ ପ୍ରକାରର ଟିକସ ଉପରେ କର୍ତ୍ତୁତ୍ଵ ରଖିପାରିଲେ କିନ୍ତୁ ଖଣି ଅଞ୍ଚଳରେ ଲୋକଙ୍କ ପାଇଁ ନିଶ୍ଚିତ ଜୀବିକା, ସୁରକ୍ଷିତ ଶ୍ରମ, ଜଙ୍ଗଲ ଓ ନଦୀର ସୁରକ୍ଷା, ଗ୍ରାମସଭାର ନିଷ୍ପତ୍ତି ଏବଂ ଆଦିବାସୀଙ୍କ ଲାଗି ସମ୍ମାନଜନକ ଭାବରେ ବଞ୍ଚିବା ନିର୍ଣ୍ଣୟ କରିପାରିଲେ ନାହିଁ ଯାହା ଅତ୍ୟନ୍ତ ବିପଦଜନକ ବୋଲି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ପ୍ରକାଶ କରିଥିଲେ ।

ଓଡ଼ିଆ ଅସ୍ମିତା କହି ଜଙ୍ଗଲ ଅଧିକାର ଆଇନ,ପେଶା ଓ ସିଡୁଲ୍ ଅଞ୍ଚଳ ଆଇନକୁ ମଧ୍ୟ ଅଣଦେଖା କରିବ ସହ ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକ ଏହି ଆଇନର ସବୁଠାରୁ ବଡ଼ ଶିକାର ହୋଇଛନ୍ତି। ଅଧିକରୁ ଅଧିକ ଯାନ୍ତ୍ରିକ ଖଣି ଖନନ ଉତ୍ପାଦନ ବଢ଼ାଇବ, ଖଣି କମ୍ପାନୀ ପାଇଁ ଲାଭ ଆଣିବ। ଓଡ଼ିଶାର ବକ୍ସାଇଟ୍‌,ଲୁହପଥର, କ୍ରୋମାଇଟ୍‌,ମାଙ୍ଗାନିଜ୍‌ ଓ କୋଇଲା ଭଳି ସମ୍ପଦ ହରାଇବା ଲୋକଙ୍କ ଜମି ହରାଇବା, ବିସ୍ଥାପନ, ଜଙ୍ଗଲ ନଷ୍ଟ, ଜଳସ୍ରୋତର ଅବକ୍ଷୟ, ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସମସ୍ୟା ପରିସ୍ଥିତିକୁ ଏହି ଆଇନ ଆହୁରି ବିଷମ କରିବ ବୋଲି ସି.ପି.ଆଇ(ଏମ୍ ଏଲ୍) ଜିଲ୍ଲା ସମ୍ପାଦକ ନିରାକାର ନାୟକ ପ୍ରକାଶ କରିଛନ୍ତି ।
ଏହା ଦ୍ଵାରା କର୍ପୋରେଟମାନଙ୍କ ସମ୍ପୂର୍ଣ୍ଣ ଏକଚାଟିଆ ଅଧିକାର ପ୍ରତିଷ୍ଠିତ ହେବ । ଏହା ଜଳବାୟୁ ଜନିତ ସଙ୍କଟକୁ ମଧ୍ୟ ଆହୁରି ତୀବ୍ରତର ହେବ ସେଥିପାଇଁ ବିସ୍ଥାପନ, ଦାରିଦ୍ର୍ୟ, ପ୍ରଦୂଷଣ ଓ ସ୍ୱାସ୍ଥ୍ୟହାନିର ଭାର ଆମେ ବହନ କରି କେନ୍ଦ୍ର କୁ ସମସ୍ତ ରାଜସ୍ୱ ଦେବା ବିରୁଦ୍ଧରେ ଜନଗଣ ଐକ୍ୟବଦ୍ଧ ସଂଘର୍ଷ କରିବା ପାଇଁ ଏସୟୁସିଆଇ (କମ୍ୟୁନିଷ୍ଟ) ଜିଲ୍ଲା ନେତା ନିମାଇ ସାହୁ ପ୍ରକାଶ କରିଛନ୍ତି ।

ଖଣିଜ ସମ୍ପଦ ସୀମିତ, କେବଳ ଆଜିର ପିଢ଼ିର ନୁହେଁ, ଭବିଷ୍ୟତ ପିଢ଼ିର ମଧ୍ୟ ତା’ ଉପରେ ଅଧିକାର ରହିଛି । ତେଣୁ କର୍ପୋରେଟ୍‌ ଲାଭ ପାଇଁ ଏହାର ଅବିଚାରିତ ଓ ଲଗାତାର ଲୁଟ୍‌କୁ ବନ୍ଦ କରିବା ପାଇଁ ଜନଗଣଙ୍କ ସଚେତନ କରି ଏହା ବିରୁଦ୍ଧରେ ପ୍ରତିବାଦ କରିବାକୁ ୪ ଟି ବାମପନ୍ଥୀ ଦଳ ଆସନ୍ତା ସେପ୍ଟେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସର ଡାକରା ଦିଆଯାଇଛି ।
ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ)ଆଇନ, ୨୦୨୬ ପ୍ରତ୍ୟାହାର କରିବା, ରାଜ୍ୟମାନଙ୍କ ଖଣିଜ ରାଜସ୍ୱ ଓ କର ଆଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷିତ କରିବା, ଓଡ଼ିଶା ସମେତ ଖଣିଜ ସମ୍ପଦଶାଳୀ ରାଜ୍ୟମାନଙ୍କ ବକେୟା ରାଜସ୍ୱ ଆଦାୟର ଅଧିକାର ସୁରକ୍ଷିତ ରଖିବା, କ୍ୟାପ୍ଟିଭ୍‌ ଖଣିର ଖଣିଜକୁ ବାଣିଜ୍ୟିକ ବିକ୍ରି କରିବାର ନୀତିକୁ ରଦ୍ଧ କରିବା,ଖଣି ଅଞ୍ଚଳ ବିସ୍ତାରରେ ଗ୍ରାମସଭା, ଆଦିବାସୀ ଅଧିକାର,ଜଙ୍ଗଲ ଅଧିକାର ଓ ପରିବେଶ ଆଇନର ସମସ୍ତ ସୁରକ୍ଷା ଅକ୍ଷୁଣ୍ଣ ରଖିବା, ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ଜଳ ଓ ଜୀବିକାର ଅଧିକାର ସୁରକ୍ଷିତ କରିବା,ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଖୋଲାଯାଇଥିବା ଖଣିଗୁଡ଼ିକର ସାମାଜିକ,ଆର୍ଥିକ ଓ ପରିବେଶଗତ ସମୀକ୍ଷା କରିବା ଦାବିରେ ଆସନ୍ତା ୧ ସେପ୍ଟେମ୍ବର ଠାରୁ ୧୦ ସେପ୍ଟେମ୍ବର ୨୦୨୬ ରାଜ୍ୟବ୍ୟାପୀ ବିକ୍ଷୋଭ ଅନୁଷ୍ଠିତ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ(ଏମ୍ଏଲ୍) ନିଉ ଡେମୋକ୍ରାସୀର ଜିଲ୍ଲା ସମ୍ପାଦକ ପ୍ରତାପ ନାୟକ, ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଜିଲ୍ଲା ସମ୍ପାଦକ ପି ପାର୍ବତୀ, ଜିଲ୍ଲା କମିଟି ସଦସ୍ୟ ରାମଚନ୍ଦ୍ର ବାଡତ୍ୟା, ସି.ପି.ଆଇ((ଏମଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଏସୟୁସିଆଇ (କମ୍ୟୁନିଷ୍ଟ) ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁ ଏବଂ ପପୁନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.