ଯାଜପୁରରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ।

0 0

ଯାଜପୁର,୨୪/୦୮(ପିପିଟି): ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଅମ୍ବର କୁମାର କର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାର ଙ୍କ ସହ ଆଭାସୀ ବୈଠକରେ ସମୀକ୍ଷା କରିଥିଲେ। ବୈତରଣୀ ଓ କାଣୀ, ବ୍ରାହ୍ମଣୀ ନଦୀର ଘାଇ ଯୋଗୁ ଜିଲ୍ଲାର ୧୦ଟି ବ୍ଲକ, ୧୨୩ଟି ଗ୍ରାମ ପଞ୍ଚାୟତ ଓ ୪୦୫ଟି ଗାଁ ଜଳମଗ୍ନ ହୋଇଛି। ଏହାଦ୍ୱାରା ପ୍ରାୟ ୪,୩୪,୬୩୨ ଜଣ ଜନସାଧାରଣ ପ୍ରଭାବିତ ହୋଇଥିବା ବେଳେ ୯୯,୭୫୭ ଜଣ ଲୋକ ବନ୍ୟା ପାଣି ଘେରରେ ରହିଛନ୍ତି। ବିଶେଷ କରି ଦଶରଥପୁର ବ୍ଲକର ତରପଦା ପଞ୍ଚାୟତର ପାଟଣା ଗ୍ରାମ ନିକଟରେ କାଣୀ ନଦୀର ଦକ୍ଷିଣ ଘାଇ ଏବଂ ବିଞ୍ଝାରପୁର ବ୍ଲକର ଜରୀ ପଞ୍ଚାୟତର ନଉବାଙ୍କ ଗ୍ରାମ ନିକଟରେ ବୈତରଣୀ ନଦୀର ଘାଇ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।

ବନ୍ୟା ପରିସ୍ଥିତିର ମୁକାବିଲା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଦୃତଗାମୀ କରିବା ପାଇଁ ସମସ୍ତ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଦଶରଥପୁର ବ୍ଲକ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ,ରିଲିଫ୍ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା, ପଶୁଖାଦ୍ୟ ଯୋଗାଣ,ସମର୍କରେ ସମୀକ୍ଷା ହୋଇଥିଲା।ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ଉଦ୍ଧାର ଓ ଆଶ୍ରୟ କାର୍ଯ୍ୟ ସ୍ୱାଭାବିକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧,୩୧,୪୯୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୩୬୮ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ବନ୍ୟା ପୀଡ଼ିତଙ୍କ ପାଇଁ ୩୬୩ଟି ରନ୍ଧାଖାଦ୍ୟ କେନ୍ଦ୍ର (Free Kitchens) ଜରିଆରେ ୧.୩୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହିତ ୧୦୬୬ କ୍ବିଣ୍ଟାଲ ଛୁଡ଼ା, ୧୦୫.୧ କ୍ବିଣ୍ଟାଲ ଗୁଡ଼ ଏବଂ ୯୫୦ଟି ପଲିଥିନ୍ ରୋଲ୍ ପ୍ରଭାବିତ ଅଞ୍ଚଳରେ ବଣ୍ଟନ କରାଯାଇଛି।ଉଦ୍ଧାର କାର୍ଯ୍ୟରେ ୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ବାହିନୀ ଓ ୧୨ଟି ପୋଲିସ/ସିଭିଲ ଡିଫେନ୍ସ ଟିମ୍ ନିୟୋଜିତ ଅଛନ୍ତି। ୧୪ଟି ଡଙ୍ଗା ମାଧ୍ୟମରେ ୩୭୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ୩୮ ଜଣ ଜରୁରୀକାଳୀନ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୨ଟି ସ୍ୱାସ୍ଥ୍ୟ ଟିମ୍ ୧୮ଟି ମେଡିକାଲ କ୍ୟାମ୍ପ ଜରିଆରେ ୧୪,୮୪୯ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଜଳବାହିତ ରୋଗ ବ୍ୟାପିବା ରୋକିବା ପାଇଁ ୧୫୨୪ଟି ନଳକୂପକୁ ବିଶୋଧନ କରାଯାଇଛି।

ଏହି ବନ୍ୟା ଫଳରେ ଜିଲ୍ଲାର ପ୍ରାଣୀସମ୍ପଦ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ୧,୩୩,୭୨୭ ଗୋରୁଗାଈ ଓ ୨୫,୦୫୦ କୁକୁଡ଼ା ବନ୍ୟା କବଳରେ ପଡ଼ିଥିବା ବେଳେ ୧୨ଟି ପ୍ରାଣୀଚିକିତ୍ସା ଟିମ୍ ଦ୍ୱାରା ୮ଟି କ୍ୟାମ୍ପ୍ ଜରିଆରେ ୧୨୩୪ଟି ପ୍ରାଣୀଙ୍କୁ ଚିକିତ୍ସା କରାଯାଇଛି। ପ୍ରାଣୀଙ୍କ ପାଇଁ ୩୬୬.୫୮ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଣ ପାଇଁ SRCଙ୍କ ନିକଟରେ ଦାବି କରାଯାଇଛି। ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ଭଙ୍ଗା ଘାଇ ଗୁଡ଼ିକର ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.