ବିଦ୍ୟୁତ୍ ତାର ଚୋରି ଉଦ୍ୟମ ପଣ୍ଡ ,୧୨ ଗିରଫ ଓ ମୁଖ୍ୟ ଆସାମୀ ଫେରାର ।

0 173

​ରେଢ଼ାଖୋଲ,୨୧/୦୮:ରେଢ଼ାଖୋଲ ଥାନା ଅନ୍ତର୍ଗତ ତ୍ରିବଣପୁର ୧୧ କେଭି ଫିଡର୍ ଅଞ୍ଚଳରେ ଚାଲିଥିବା ଏକ ବଡ଼ଧରଣର ବିଦ୍ୟୁତ୍ ତାର ଚୋରି ଉଦ୍ୟମକୁ ପୁଲିସ କୌଶଳକ୍ରମେ ପଣ୍ଡ କରିଦେଇଛି। ଘଟଣାସ୍ଥଳରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଚୋରିରେ ବ୍ୟବହୃତ ମିନି ଟ୍ରକ୍ (ଭ୍ୟାନ), ବିପୁଳ ପରିମାଣର କଣ୍ଡକ୍ଟର ତାର ଓ କଟର ଯନ୍ତ୍ରାଂଶ ଜବତ ହୋଇଛି।ତ୍ରିବଣପୁର ୧୧ କେଭି ଫିଡରରୁ କିଛି ଦୁର୍ବୃତ୍ତ ବେଆଇନ ଭାବେ ବିଦ୍ୟୁତ୍ ତାର କାଟି ଭ୍ୟାନରେ ଲୋଡ୍ କରୁଥିବା ନେଇ ଅଭିଯୋଗକାରୀ ଜତିନ ପ୍ରଧାନଙ୍କଠାରୁ ବିଶ୍ୱସ୍ତ ସୂଚନା ପାଇଥିଲେ ରେଢ଼ାଖୋଲ ଥାନା ଅଧିକାରୀ ସନୟ କୁମାର ନାଏକ। ସୂଚନା ପାଇବା କ୍ଷଣି ପୁଲିସର ଏକ ସ୍ୱତନ୍ତ୍ର ପେଟ୍ରୋଲିଂ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଗାଡ଼ି ଦେଖି ଦୁର୍ବୃତ୍ତମାନେ ଆକ୍ରମଣାତ୍ମକ ମନୋଭାବ ଦେଖାଇ ଇଲେକଟ୍ରିକ କଟର ଯନ୍ତ୍ରାଂଶ ଦେଖାଇ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ଟିମ୍ ଚତୁରତାର ସହ ଚଢ଼ଉ କରି ଘଟଣାସ୍ଥଳରୁ ୧୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ କାଞ୍ଚନପୁର ଗ୍ରାମର ଅମରଜିତ୍ କିସାନ ଓରଫ୍ ଜିତ (୪୦), ବିଶି କିସାନ (୪୫), ରସାନନ୍ଦ ଭୋଇ (୪୫), କୃପାସିନ୍ଧୁ ଭୋଇ (୩୧), ବୁଲୁ ପାତ୍ର (୩୩), ସୁଶାନ୍ତ ଛେଣ୍ଡିଆ (୨୧), ଅନିଲ ସେଠୀ (୩୬), ରଜତ କୁମାର ବିଶି (୨୨), ସୁଧାଂଶୁ ଭୋଇ ଓରଫ୍ କାଳିଆ (୩୪), ଗଗନ ବିଶି (୪୫), ନିରଞ୍ଜନ ସାହୁ (୬୦)ଏବଂ ଗିରିଶଚନ୍ଦ୍ରପୁର ମୋହନ କୁମାର ଜାନୀ (୪୩) ବୋଲି ଜଣାପଡିଛି।ରେଙ୍ଗାଲି ମଠ (ତନ୍ତଗାଡ଼) ନିକଟରୁ କଟାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ୧୦ ସ୍ପାନ୍ (ପ୍ରାୟ ୫୦୦ ମିଟର) ୧୧ କେଭି କଣ୍ଡକ୍ଟର ତାର (୩୦ଟି ବଣ୍ଡଲ)
​୨ଟି ଲୁହା କେବୁଲ କଟର ଓ ୬ଟି ବ୍ଲେଡ୍ ଥିବା ହ୍ୟାକ୍-ସ ଗାଡ଼ି ଫ୍ରେମ୍,୫ଟି ମୋବାଇଲ୍ ଫୋନ୍,ତାର ବୋହିବା ପାଇଁ ବ୍ୟବହୃତ ନୀଳ ରଙ୍ଗର ଭ୍ୟାନ (ଓଡି.୧୫.ଏକ୍ସ.୮୭୦୪) ରହିଛି।ପୁଲିସର ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, ସମ୍ବଲପୁର ସୁନାପାଲିର ଏମ୍.ଡି. ସିରାଜଙ୍କ ନିର୍ଦ୍ଦେଶରେ ସେମାନେ ଏହି ଚୋରି କାର୍ଯ୍ୟ କରୁଥିଲେ। କିସିଣ୍ଡାର କାଞ୍ଚନପୁରଠାରେ ସିରାଜଙ୍କର ଏକ ଗୋଦାମ ଓ ଫାର୍ମ ରହିଛି। ତାଙ୍କରି ପ୍ରରୋଚନାରେ ସେମାନେ ଗାଡ଼ି ନେଇ ବିଦ୍ୟୁତ୍ ବିଭାଗର ଏହି ବିପୁଳ କ୍ଷତି ପହଞ୍ଚାଉଥିଲେ।

ଏହି ଘଟଣାରେ ରେଢ଼ାଖୋଲ ଥାନାରେ କେସ୍ ନଂ-୧୫୩/୨୦୨୬, ବିଏନଏସ ଦଫା ୩୧୦(୨) ଏବଂ ବିଦ୍ୟୁତ୍ ଆଇନ୍ ୨୦୦୩ର ଧାରା ୧୩୬(୧) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସିରାଜଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.