ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ “ଟିଚ କନ୍ଧମାଳ” ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲାସ୍ତରୀୟ ଅଧିକାରୀ ।
ବାଲିଗୁଡ଼ା, ୧୭/୦୮(ପିପିଟି): ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ନରହି ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ ‘ଟିଚ୍ କନ୍ଧମାଳ’। ଏହି ପଦକ୍ଷେପ ଅଧୀନରେ ସୋମବାର ବାଲିଗୁଡ଼ା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାସ୍ତରୀୟ ଅଧିକାରୀମାନେ। ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ ଶିଶୁଙ୍କ ନିକଟରେ ପହଞ୍ଚି ଶିକ୍ଷାଦାନର ବିଭିନ୍ନ ଦିଗ ଅନୁଧ୍ୟାନ କରିବା, ସମସ୍ୟା ଚିହ୍ନଟ କରିବା ଏବଂ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ସହ ଜଡ଼ିତ ହିତଧାରୀଙ୍କୁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଦେବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପ୍ରାତଃ ସମାବେଶ, ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ବିଦ୍ୟାଳୟ ପରିସରର ସ୍ୱଚ୍ଛତା, ବିଶେଷକରି ଶୌଚାଳୟର ପରିଚ୍ଛନ୍ନତା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଦି ଯାଞ୍ଚ କରିଥିଲେ। ଏଥିସହ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ଶିକ୍ଷା ପରିବେଶର ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବାଲିଗୁଡ଼ା ବ୍ଲକ୍ରେ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ମୋଟ ୧୯ଟି ବିଦ୍ୟାଳୟକୁ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରିଦର୍ଶନ ନିମନ୍ତେ ଆବଣ୍ଟନ କରାଯାଇଥିଲା। ତାଲିକାରେ ଜିଲ୍ଲାପାଳ ବେଦଭୂଷଣ , ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ , ପ୍ରଶିକ୍ଷଣରତ ଆଇ ଏ ଏସ ଯଶକରଣ ସିଂ, ଡି ଏଫ ଓ, ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ , ପିଡି-ଡିଆରଡିଏ, ଜିଲ୍ଲା ଶିକ୍ଷା ଅଧିକାରୀ ,ପିଏ ଆଇ ଟି ଡି ଏ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ଥିଲେ। ‘ଟିଚ୍ କନ୍ଧମାଳ’ କେବଳ ବିଦ୍ୟାଳୟ ପରିଦର୍ଶନରେ ସୀମିତ ନ ରହି ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସ୍ଥିତିକୁ ବୁଝିବା ଓ ତାହାର ଗୁଣାତ୍ମକ ଉନ୍ନତି ପାଇଁ ଏକ ନିରନ୍ତର ପ୍ରୟାସ। ପ୍ରତି ଜନଅଭିଯୋଗ ଶୁଣାଣି ଦିନ ପୂର୍ବରୁ ସମ୍ପୃକ୍ତ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିବେ ଏବଂ ପରିଦର୍ଶନର ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବେ। “ବିଦ୍ୟାଳୟରେ ଅଧିକାରୀଙ୍କ ପହଞ୍ଚ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ—ଶିକ୍ଷାର ଗୁଣାତ୍ମକ ପରିବର୍ତ୍ତନ ଦିଗରେ ‘ଟିଚ୍ କନ୍ଧମାଳ’ର ଏହି ପଦକ୍ଷେପ ଏକ ନୂଆ ଆଶା ସୃଷ୍ଟି କରିଛି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ