ବ୍ରହ୍ମପୁର,୦୪/୦୮(ପିପିଟି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ଅବସରରେ ପବିତ୍ର ତପ୍ତପାଣି ଆଜି ରଙ୍ଗ, ରାଗ,ତାଳ ଓ ପରମ୍ପରାର ଏକ ଅପୂର୍ବ ସମାଗମର ସାକ୍ଷୀ ପାଲଟିଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକକଳାକାରମାନେ ନିଜ ନିଜର ପାରମ୍ପରିକ ବେଶଭୂଷା, ଆଦିମ ବାଦ୍ୟଯନ୍ତ୍ର ଏବଂ ମନୋମୁଗ୍ଧକର ଲୋକନୃତ୍ୟ ପରିବେଷଣ କରି ଗଞ୍ଜାମର ସମୃଦ୍ଧ ସାଂସ୍କୃତିକ ବୈଭବକୁ ଦେଶର ପ୍ରଥମ ନାଗରିକଙ୍କ ସମ୍ମୁଖରେ ଗୌରବର ସହ ଉପସ୍ଥାପନ କରିଥିଲେ ।
ଖେମୁଣ୍ଡିଖୋଲାର ‘ନୀଳମାଧବ ଗ୍ରୁପ୍’ ଟମକ ଓ ଚାଙ୍ଗୁର ମଧୁର ତାଳରେ ପାରମ୍ପରିକ ଗ୍ରାମୀଣ ଲୋକନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ସେହିପରି ସୁବର୍ଣ୍ଣଗଡ଼ର ‘ମା’ ଦଣ୍ଡକାଳୀ ଗ୍ରୁପ୍’ ପ୍ରାଚୀନ ସୌରା (ସବର) ଜନଜାତିର ପାରମ୍ପରିକ ନୃତ୍ୟ ପରିବେଷଣ କରି ଆଦିବାସୀ ସଂସ୍କୃତିର ଅନନ୍ୟ ବୈଭବକୁ ଜୀବନ୍ତ କରିଥିଲେ ।
ଗଞ୍ଜାମର କନ୍ଧ ଆଦିବାସୀ ପରମ୍ପରାର ସ୍ୱକୀୟତାକୁ ଉଜାଗର କରି ‘ସଂରଚନା ଗ୍ରୁପ୍’ର କଳାକାରମାନେ ଚାଙ୍ଗୁ, ନିଶାନ,ବଂଶୀ,ଗିନି,ଝାଞ୍ଜ,ଘଣ୍ଟ, ମହିଷୀ ଶିଙ୍ଗା ଓ ତୁରୀ ଭଳି ବିଭିନ୍ନ ପାରମ୍ପରିକ ବାଦ୍ୟର ଲୟ ଓ ତାଳରେ ଆକର୍ଷଣୀୟ ‘ସାଦ୍ରା ନୃତ୍ୟ’ ପରିବେଷଣ କରି ପରିବେଶକୁ ପ୍ରାଣବନ୍ତ କରିଥିଲେ ।
ଅନ୍ୟପକ୍ଷରେ କଟପଲ୍ଲୀର ‘ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ଦଳ’ ମୃଦଙ୍ଗ, ହାରମୋନିଅମ୍ ଓ ମଧୁର କୀର୍ତ୍ତନରେ ସମଗ୍ର ପରିବେଶକୁ ଭକ୍ତିରସରେ ଭରି ଦେଇଥିଲେ। ଜିସଗଡ଼ାବସାର ‘ତୁଳସୀ ଗ୍ରୁପ୍’ କାମାକା, ଝାଞ୍ଜ, ମହୁରୀ ଓ ତୁରୀର ସୁମଧୁର ଧ୍ୱନିରେ ସୌରା ଜନଜାତିର ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ପୋଡ଼ାମାଡ଼ି ଗ୍ରାମର ‘ତ୍ରିନାଥ ଠାକୁର କଳିଙ୍ଗ ପୁଅ ଦଳ’ ଘଣ୍ଟ ଓ ମୃଦଙ୍ଗର ଗମ୍ଭୀର ନିନାଦ ସହ ବୀରତ୍ୱପୂର୍ଣ୍ଣ ପାରମ୍ପରିକ ନୃତ୍ୟ ପରିବେଷଣ କରି ସ୍ୱାଗତ ପରିବେଶକୁ ଆହୁରି ଭବ୍ୟ ଓ ପ୍ରାଣବନ୍ତ କରିଥିଲେ ।
ଶିଙ୍ଗା,ତୁରୀ,ଝାଞ୍ଜ,ଚାଙ୍ଗୁ,ମୃଦଙ୍ଗ ଓ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟର ସମ୍ମିଳିତ ନିନାଦରେ ସମଗ୍ର ତପ୍ତପାଣି ପ୍ରକମ୍ପିତ ହୋଇଉଠିଥିଲା । ଗଞ୍ଜାମର ଲୋକକଳା, ଆଦିବାସୀ ପରମ୍ପରା ଓ ସାଂସ୍କୃତିକ ଐଶ୍ୱର୍ଯ୍ୟର ଏଭଳି ଜୀବନ୍ତ ଉପସ୍ଥାପନା ରାଷ୍ଟ୍ରପତିଙ୍କ ସମ୍ମୁଖରେ କରିବାର ସୁଯୋଗ ସମଗ୍ର ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଥିଲା। ସ୍ଥାନୀୟ କଳାକାର, ସଂଗଠକ ଏବଂ କଳାପ୍ରେମୀମାନେ ମତ ପ୍ରକାଶ କରିଛନ୍ତି ଯେ, ଏହି ଐତିହାସିକ ଅବସର ଗଞ୍ଜାମର ଲୋକକଳା ଓ ଆଦିବାସୀ ସାଂସ୍କୃତିକ ପରମ୍ପରାକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିବ ।