ମା’ କନ୍ଧୁଣୀ ଦେବୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କଲେ ରାଷ୍ଟ୍ରପତି ।

0 291

ବ୍ରହ୍ମପୁର,୦୪/୦୮(ପିପିଟି): ଗଞ୍ଜାମ ଜିଲ୍ଲାର ପବିତ୍ର ତପ୍ତପାଣି ଆଜି ଏକ ବିରଳ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ମା’ କନ୍ଧୁଣୀ ଦେବୀ ପୀଠରେ ପହଞ୍ଚି ଦିବ୍ୟ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ପବିତ୍ର ଆଦିବାସୀ ଆସ୍ଥାକେନ୍ଦ୍ରକୁ ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଏହି ଗସ୍ତ ସମଗ୍ର ଅଞ୍ଚଳ ପାଇଁ ଗୌରବ, ଆଧ୍ୟାତ୍ମିକତା ଓ ଆନନ୍ଦର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ ।

ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ,ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା । ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆନ୍ତରିକତାର ସହ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ ।

ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ରାଷ୍ଟ୍ରପତି ମା’ କନ୍ଧୁଣୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି, ସମୃଦ୍ଧି, ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ମହାଦେବ ମନ୍ଦିରରେ ମଧ୍ୟ ଦର୍ଶନ କରି ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ ।

ଏହି ଅବିସ୍ମରଣୀୟ ଅବସରରେ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ଜାନୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ, ” ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା’ କନ୍ଧୁଣୀଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶର ପ୍ରଥମ ନାଗରିକଙ୍କ ଏହି ପବିତ୍ର ପଦାର୍ପଣ ଆମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଗର୍ବିତ ଓ ଆତ୍ମବିଭୋର କରିଛି ।”

ସେ ଆହୁରି କହିଥିଲେ,” ରାଷ୍ଟ୍ରପତି ସମସ୍ତ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ମା’ଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିପାରନ୍ତୁ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ସୁଚାରୁରୂପେ କରାଯାଇଥିଲା । ଆମର ଦୃଢ଼ ବିଶ୍ୱାସ ଯେ ତାଙ୍କର ଏହି ପବିତ୍ର ଗସ୍ତ ତପ୍ତପାଣି ଓ ସମଗ୍ର ଆଦିବାସୀ ଅଞ୍ଚଳର ବିକାଶ, ପରିଚୟ ଓ ସମୃଦ୍ଧିର ନୂତନ ଦିଗ ଉନ୍ମୋଚନ କରିବ । ଆମେ ମା’ଙ୍କ ନିକଟରେ ତାଙ୍କର ସୁସ୍ଥ, ଦୀର୍ଘ ଓ ମଙ୍ଗଳମୟ ଜୀବନ କାମନା କରୁଛୁ ।”

ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ସାଧାରଣ ଜନସାଧାରଣ ଏହାକୁ କେବଳ ଏକ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଛନ୍ତି ।

ରାଷ୍ଟ୍ରପତିଙ୍କ ଏହି ପବିତ୍ର ପଦାର୍ପଣ କେବଳ ମା’ କନ୍ଧୁଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ, ବରଂ ଗଞ୍ଜାମର ଆଦିବାସୀ ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ।

Leave A Reply

Your email address will not be published.