ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସାଦିକ ଆଲାମ।

0 200

ମାଲକାନଗିରି,୨୯/୦୭(ପିପିଟି):ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଏମଡି ସାଦିକ ଆଲାମ ମାଲକାନଗିରି ଜିଲ୍ଲା ଗସ୍ତ କରି ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ ର ପ୍ରଗତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଆଲମ କହିଛନ୍ତି ଯେ ଏକ ସୁଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ଅତ୍ୟନ୍ତ ଆବଶ୍ୟକ। ମାଲକାନଗିରି ଜିଲ୍ଲାରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ କୁ ସମ୍ପୂର୍ଣ୍ଣ ସଠିକତା ସହ ଶେଷ କରିବା ଆମର ଲକ୍ଷ୍ୟ, ଯେପରି କୌଣସି ଯୋଗ୍ୟ ଭୋଟର ଏଥିରୁ ବାଦ୍ ନପଡ଼ନ୍ତି। ଶୁଣାଣି ସମୟରେ ଉଚ୍ଚ ମାନର ଯାଞ୍ଚ ପ୍ରକ୍ରିୟା ବଜାୟ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାକୁ ଏହା ତାଙ୍କର ଦ୍ୱିତୀୟ ସରକାରୀ ଗସ୍ତ। ଜିଲ୍ଲା ଗସ୍ତ ସମୟରେ କମିଶନର ପ୍ରଥମେ ମାଲକାନଗିରି ପୌରପାଳିକା କାର୍ଯ୍ୟାଳୟରେ ଚାଲିଥିବା ନୋଟିସ୍ ଶୁଣାଣି ପ୍ରକ୍ରିୟାର ଗୁଣବତ୍ତା ଯାଞ୍ଚ କରିଥିଲେ। ଏହି ଅବସରରେ ସେ ସେଠାରେ ଉପସ୍ଥିତ ନିର୍ବାଚନ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଆଲୋଚନାରେ ଭୋଟର ସଂଶୋଧନ ଅଧିକାରୀ , ସହକାରୀ ଭୋଟର ସଂଶୋଧନ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଏଲଓ ସୁପରଭାଇଜରମାନେ ସାମିଲ ଥିଲେ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ଇଆରଓ, ଏଇଆରଓ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚାଲିଥିବା ବିଶେଷ ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁଗମ ଓ ତ୍ରୁଟିଶୂନ୍ୟ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.