ଦୁର୍ନୀତି ମାମଲାରେ ବଣାଇ ଆର୍ସିଏମ୍ଏସ୍ର ପୂର୍ବତନ ସମ୍ପାଦକ ଧୀରେନ୍ଦ୍ର କୁମାର ଶତପଥୀ ଦୋଷୀ ସାବ୍ୟସ୍ତ ।
ବଣାଇ, ୨୯/୦୭:ଦୁର୍ନୀତି ବିରୋଧୀ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଓଡ଼ିଶା ଭିଜିଲାନ୍ସ। ବଣାଇ ସ୍ଥିତ ଆଞ୍ଚଳିକ ସମବାୟ ବିପଣନ ସମିତି (RCMS)ର ପୂର୍ବତନ ସମ୍ପାଦକ ଧୀରେନ୍ଦ୍ର କୁମାର ଶତପଥୀଙ୍କୁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ଆଜି, ଅର୍ଥାତ୍ ୨୯.୦୭.୨୦୨୬ ତାରିଖରେ, ଅବସରପ୍ରାପ୍ତ ଧୀରେନ୍ଦ୍ର କୁମାର ଶତପଥୀ, ପୂର୍ବତନ ସମ୍ପାଦକ, ଆଞ୍ଚଳିକ ସମବାୟ ବିପଣନ ସମିତି (RCMS), ବଣାଇ, ଜିଲ୍ଲା–ସୁନ୍ଦରଗଡ଼ଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ସି)(ଡି) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୪୦୯ ଅନୁଯାୟୀ ରୁଜୁ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ଅଭିଯୋଗ ଥିଲା ଯେ, ୨୦୦୩–୦୪ ମସିହାରେ RCMS ବଣାଇ ପାଇଁ ସାର କ୍ରୟ ବାବଦ ସରକାରୀ ଅର୍ଥର ଆତ୍ମସାତ୍ କରାଯାଇଥିଲା।
ସୁନ୍ଦରଗଡ଼ସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଅବସରପ୍ରାପ୍ତ ଧୀରେନ୍ଦ୍ର କୁମାର ଶତପଥୀଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଅନୁରୋଧ କରାଯିବ।