ଯାଜପୁର,୨୯/୦୭(ପିପିଟି ):ଯାଜପୁର ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଜିଲ୍ଲାପାଳ ଅମ୍ବର କୁମାର କର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ। ବନ୍ୟା ସ୍ଥିତି ତଦାରଖ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ବରିଷ୍ଠ ଅଧିକାରୀ, ଅବକାରୀ ବିଭାଗ କମିଶନର ପି. ଅନ୍ୱେଷା ରେଡ୍ଡୀ, ଆଇ.ଏ.ଏସ, ଗତକାଲି ଯାଜପୁର ଜିଲ୍ଲାରେ ଯୋଗ ଦେବା ସହ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିଥିଲେ । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ଯାଜପୁର,ଦଶରଥପୁର ଓ କୋରେଇ ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି। ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୩ ଟି ବ୍ଲକ୍ ଯଥା: ଯାଜପୁର, କୋରେଇ, ଦଶରଥପୁର ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକରେ ୧୨ ଟି ଗ୍ରାମ ପଞ୍ଚାୟତ ର ୨୯ ଟି ରାଜସ୍ବ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ଯାଜପୁର ବ୍ଲକରେ ୧୩ ଟି ଗ୍ରାମ ପଞ୍ଚାୟତ ଓ ୭୩ ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ କୋରେଇ ବ୍ଲକରେ ୦୬ ଟି ଗ୍ରାମ ପଞ୍ଚାୟତ ର ୨୦ ଟି ରେଭେନ୍ୟୁ ଗ୍ରାମ ପ୍ରଭାବିତ ହୋଇଅଛି। ୨୫, ୧୯୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୫୬୫ ଜଣଙ୍କୁ ୩୭ ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୧୮ ଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ ୭୫୯୬ ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ, ୧୧,୪୯୭ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟା ଜଳ ଯୋଗେ ଜଳମଗ୍ନ ହୋଇଛି । ୧୦ ଟି ବ୍ଲକ୍ ଓ ବ୍ୟାସନଗର ମ୍ୟୁନିିସିପାଲିଟିରେ ସମୁଦାୟ ୪୦୪ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୯୪ କ୍ୱିଣ୍ଟାଲ୍ ଗୁଡ ମହଜୁଦ ରଖାଯାଇଛି। ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୪ କ୍ୱିଣ୍ଟାଲ୍ ଚୁଡ଼ା, ୨.୪ କ୍ୱିଣ୍ଟାଲ୍ ଗୁଡ଼ ୧୨ ଟି ପଲିଥିନ୍ ରୋଲ୍ ବଣ୍ଟା ସରିଛି। ୦୪ ଟି ମେଡିକାଲ ଟିମ୍ ନିୟୋଜିତ ହୋଇଥିବା ବେଳେ ୦୪ ଟି ଭେଟେନାରି ଟିମ୍ ନିୟୋଜିତ କରାଯାଇଛି । ୦୧ ଟି ଏନ୍.ଡି.ଆର୍.ଏଫ୍ ଟିମ୍, ୦୪ ଟି ଓଡ଼୍ରାଫ୍ ଟିମ୍ ଏବଂ ୧୨ ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ନିମନ୍ତେ ଓଡ଼୍ରାଫ୍ ଟିମ୍ ଓ ଏନ୍.ଡି.ଆର୍.ଏଫ୍ ଟିମ୍ ନିୟୋଜିତ କରାଯାଇଛି। ଦୁର୍ବଳ ଏବଂ ଜଳମଗ୍ନ ଥିବା ବ୍ରିଜ ରେ ଭାରିଯାନ ଚଳାଚଳ ଓ ଯାତାୟାତ ବନ୍ଦ କରିବାକୁ ପି. ଅନ୍ୱେଷା ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଆବଶ୍ୟକୀୟ ଔଷଧ କିଟ୍ ମହଜୁଦ ରଖିବାକୁ ଶ୍ରୀମତୀ ରେଡ୍ଡୀ ନିର୍ଦ୍ଦେଶ ଦେଇଥିଲେ।ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଲକର କସପା, ମଲିକାପୁର, ତାରପଡ଼ା, କୟାଁ, କମାରଡିହ ପଞ୍ଚାୟତର ବନ୍ୟା ପରିସ୍ଥିତି କୁ ଅନୁଧ୍ୟାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଯୁଧିଷ୍ଠିର ନାଏକ, ଖାନନଗର, ସୁସୁଆ, ନିଜାମପୁର, ଦୁଦୁରାନ୍ତ, ଦତ୍ତପୁର ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ବାଇଁ, ଛଞ୍ଚିନା, କଟିକଟା, ଜୟନ୍ତରା, ମଙ୍ଗଳପୁର ଓ ବିରିପଟା ଗ୍ରାମ ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଉପ ଜିଲ୍ଲାପାଳ, ଯାଜପୁର ତାପସ ରଞ୍ଜନ ଦେହୁରୀ, ଏବଂ ପାଲଟପୁର, ଜାଫରପୁର, ଥାଲକୁଡ଼ି ଓ କନିକାପଡ଼ାଦଶରଥପୁର ଗ୍ରାମ ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଖୁଣ୍ଟିଆ ଙ୍କୁ ନିୟୋଜିତ କରାଯାଇଛି। ଆଜି ରାତିରେ ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି । ବରୀ, ରସୁଲପୁର, ଧର୍ମଶାଳା ବ୍ଲକ୍ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପରେ ଜିଲ୍ଲାପାଳ ଯାଜପୁର ଓ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।