ବ୍ରହ୍ମପୁର,୨୦/୦୭(ପିପିଟି):ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଦେଶର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଦେଶର ପ୍ରଖ୍ୟାତ ବୈଜ୍ଞାନିକ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକ ଚଳାଇଥିବା ନ୍ୟାୟିକ ଲଢେଇକୁ ସମର୍ଥନ ଜଣାଇ ଆଜି ବ୍ରହ୍ମପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ଏକ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଧାରଣା ଅନୁଷ୍ଠିତ ହୋଇଯାଇଛି ।ଧାରଣାରେ ବୁଦ୍ଧିଜୀବୀ, ଶିକ୍ଷାବିତ୍, ପରିବେଶବିତ୍, ଛାତ୍ରଛାତ୍ରୀ, ଅଭିଭାବକ,ଯୁବସମାଜ ଏବଂ ବିଭିନ୍ନ ସାମାଜିକ ସଂଗଠନର ଶତାଧିକ ସଚେତନ ନାଗରିକ ସାମିଲ ହୋଇଥିଲେ । ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଅନେକ ଛାତ୍ରଛାତ୍ରୀ ମାନସିକ ଚାପରେ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଛି । ଏହା ଦେଶର ଶିକ୍ଷା ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି । ସୋନମ ୱାଙ୍ଗଚୁକ ଏହି ବିଷୟକୁ ନେଇ ଦୀର୍ଘ ୨୦ ଦିନ ଆମରଣ ଅନଶନରେ ବସିବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଜୋରଜବରଦସ୍ତ ଭାଙ୍ଗିଦେବା ଗଣତନ୍ତ୍ର ଉପରେ ଆକ୍ରମଣ। ନିଟ୍ ସମେତ ସମସ୍ତ ପ୍ରତିଯୋଗିତା ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ କଠୋର ଆଇନ ପ୍ରଣୟନ କରାଯାଉ, ପ୍ରଶ୍ନପତ୍ର ଲିକ୍ ଘଟଣାର ସ୍ୱାଧୀନ ତଦନ୍ତ କରାଯାଇ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ, ଛାତ୍ର ଅନୁକୂଳ ଶିକ୍ଷା ନୀତି ପ୍ରଣୟନ କରି ସୋନମ ୱାଙ୍ଗଚୁକଙ୍କ ଦାବି ଗୁଡିକୁ ତୁରନ୍ତ ବିଚାର କରାଯାଉ। ଧାରଣାକାରୀ ମାନେ କହିଛନ୍ତି, “ଶିକ୍ଷା ବଞ୍ଚିଲେ ଦେଶ ବଞ୍ଚିବ”। ନିଟ ତଥା ବିଭିନ୍ନ ପରୀକ୍ଷାରେ ଦୁର୍ନୀତି ରୋକିବାରେ ବିଫଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଓ ଓଡ଼ିଶାର ତୃଟି ପୂର୍ଣ୍ଣ ପାଠ୍ୟ ପୁସ୍ତକର ପ୍ରକାଶ କରିବା ପାଇଁ ଦାୟୀ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ଦାବି କରାଯାଇଥିଲା । ସରକାର ଯଦି ତୁରନ୍ତ ଉକ୍ତ ଦାବି ନମାନନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଧାରଣାରେ ମତ ପ୍ରକାଶ ପାଇଛି । ଆଜିର ଧାରଣା କାର୍ଯ୍ୟକ୍ରମକୁ “ଆପ୍” ନେତା ଆଦିତ୍ୟ ନାରାୟଣ ରଥ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ତ ସୁଧୀର ରାଉତ,ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା,ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସିପିଆଇ ରାଜ୍ୟ ନେତା ପ୍ରକାଶ ପାତ୍ର, ଏସ.ୟୁ.ସି.ଆଇ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ସିପିଆଇ ରେଡ ଷ୍ଟାର ରାଜ୍ୟ ସମ୍ପାଦକ ଶଙ୍କର ଇନିକଲାବ,ବାମପନ୍ଥୀ ଶ୍ରମିକ ନେତା ପ୍ରତାପ ପ୍ରଧାନ, ଫରୱାର୍ଡ ବ୍ଲକ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ, ଶିକ୍ଷକ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା,ସାମ୍ବାଦିକ ରବି ରଥ, ଅଶୋକ ଦଳାଇ, କିଶୋର ଚନ୍ଦ୍ର ପାତ୍ର, ଗଗନ ମଲ୍ଲିକ,ଲୋକନାଥ ପରିଡ଼ା, ହେତୁବାଦୀ ସଂଗଠନ ସଭାପତି ନନ୍ଦେଶୁ ସେନାପତି, ସାମାଜିକ କର୍ମୀ ପ୍ରିତିଶ ପାଣିଗ୍ରାହୀ,ହିମାଂଶୁ ଶେଖର ସାହୁ, ମନୋଜ କୁମାର ତରାଇ,ସମାଜସେବୀ ସରିତା ପଣ୍ଡା,ଶ୍ରମିକ ନେତା ପି.ପାର୍ବତୀ, ବାମପନ୍ଥୀ ନେତା କୈଳାଶ ଷଡ଼ଙ୍ଗୀ, ନୀଳକଣ୍ଠ ଦାସ, ଅଳକା ମିଶ୍ର, ନିମାଇଁ ଚରଣ ସାହୁ, ଗୋକୁଳାନନ୍ଦ ତ୍ରିପାଠୀ, ଅଭିମନ୍ୟୁ ଦଳାଇ,କୈଳାଶ ସେଠୀ ପ୍ରମୁଖ ଶତାଧିକ ବିଭିନ୍ନ ସଂଗଠନର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।