ଜୟପୁର, ୦୮/୦୭: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଖଣି ବିଭାଗର ଡେପୁଟି ଡାଇରେକ୍ଟର (ଭୂତତ୍ତ୍ୱ)-ସହ-ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ ସତ୍ୟଜିତ ରାଉତ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ବାଲି ସୈରାତର ଲିଜ୍ ଅବଧି ବୃଦ୍ଧି ଏବଂ ସ୍ପଟ୍ ନିଲାମରେ ଅନୁଚିତ ସୁବିଧା ଯୋଗାଇଦେବା ପାଇଁ ଜଣେ ଲିଜ୍ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ମାଡି ବସି ଗିରଫ କରିଛି। ଅଭିଯୁକ୍ତ ଶ୍ରୀ ରାଉତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାଉତଙ୍କ ଜୟପୁରର ଲିଙ୍ଗରାଜ ନଗର ସ୍ଥିତ ବାସଭବନ, କଟକର ବିଦ୍ୟାଧରପୁର ଏବଂ କଟକ ମାହାଙ୍ଗାର ଓଲକାନା ସ୍ଥିତ ପୈତୃକ ଘର ସମେତ ଏକକାଳୀନ ତିନୋଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ନେଇ ଚଢ଼ଉ ଜାରି ରହିଛି। ଚଢ଼ଉ ସମୟରେ ତାଙ୍କ ଜୟପୁର ବାସଭବନରୁ ଅତିରିକ୍ତ ୨.୯୦ ଲକ୍ଷ ଟଙ୍କା ନଗଦ ଠାବ କରାଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ୍ ୪.୯୦ ଲକ୍ଷ ନଗଦ ଟଙ୍କା ଜବତ ହୋଇସାରିଛି। ଏହି ଘଟଣା ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ର ଧାରା ୭ ଅନୁଯାୟୀ କେସ୍ ନମ୍ବର ୧୪/୨୦୨ ରୁଜୁ କରାଯାଇଛି। ଅଭିଯୁକ୍ତ ଶ୍ରୀ ରାଉତଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗାମୀ ସମୟରେ ତାଙ୍କର ଅଧିକ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଜଣେ ବଡ଼ ସରକାରୀ ବାବୁଙ୍କ ଏଭଳି ଗିରଫଦାରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି।