ମାଲକାନଗିରି,୦୪/୦୭(ପିପିଟି):ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଜିଲ୍ଲାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ପ୍ରଥମେ ଜିଲ୍ଲା ଗ୍ରନ୍ଥାଗାର ପରିଦର୍ଶନ କରି ସେଠାକାର ଭିତ୍ତିଭୂମିର ଯାଞ୍ଚ କରିଥିଲେ। ମାଲକାନଗିରିର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେଠାରେ ଏକ ଅତ୍ୟାଧୁନିକ କୋଚିଂ ସେଣ୍ଟର ଖୋଲିବାକୁ ସେ ଯୋଜନା ପ୍ରସ୍ତତ କରିଛନ୍ତି। ଯେଉଁଠାରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ୟୁପିଏସସି, ଓପିଏସସି ଏବଂ ଏସଏସସି ଭଳି ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉନ୍ନତମାନର ପ୍ରସ୍ତୁତି କରିପାରିବେ। ଏଥିପାଇଁ ତୁରନ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହାପରେ ଜିଲ୍ଲାପାଳ ମାଲକାନଗିରି ମହିଳା ହଷ୍ଟେଲର ଖାଲି ପଡ଼ିଥିବା ଗୃହଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବ୍ୟବହୃତ ସ୍ଥାନରେ ଏକ ବସ୍ତ୍ର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା ରହିଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ମହିଳା ଏବଂ ଅନ୍ୟ ଲୋକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ। ଶିକ୍ଷା ଭିତ୍ତିଭୂମିକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳ ପୁରୁଣା ବି.ଇଡି କଲେଜ ମଧ୍ୟ ପରିଦର୍ଶନ କରିଥିଲେ। କଲେଜର ପୁରୁଣା କୋଠାର ନବୀକରଣ କରି ଶିକ୍ଷା କ୍ଷେତ୍ରରେ କିପରି ସୁଧାର ଅଣାଯାଇପାରିବ ଏବଂ ଏହାର ସଠିକ୍ ଉପଯୋଗ କରାଯାଇପାରିବ, ସେ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।ଜିଲ୍ଲାପାଳ ଶ୍ରୀ ରାଜେଶିର୍କେଙ୍କ ଏହି ସମସ୍ତ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶ ତଥା ଯୁବପିଢ଼ି ଓ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)