ଭଞ୍ଜନଗର, ୨୫/୦୬(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା ଓ ରାଜ୍ୟ ବାହାରକୁ ଗୋ’ଚାଲାଣ ହେଉଛି। ଏଥିସହ ଆଉ କେତେକ ସମୟରେ ରାସ୍ତାରେ ଗାଈଗୋରୁଙ୍କୁ ଚଲାଇ ଚଲାଇ ନେଇ ଅନ୍ୟତ୍ର ବିକ୍ରି କରାଯାଉଛି।
ଏହିଭଳି ବୁଧବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ନିକଟସ୍ଥ ଘୋଳପୁରରୁ କେରଳ ଗୋ’ଚାଲାଣ ହେଉଥିଲା। ଏନେଇ ସେହି ରାସ୍ତାରେ ପେଟ୍ରୋଲିଂ କରୁଥିବା ଭଞ୍ଜନଗର ଥାନା ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ତା ଏତେ ଗୋରୁ ଦେଖି ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚାରି ଥିଲେ। ଏହାପରେ ଉକ୍ତ ଗୋରୁ ସବୁ କେରଳ ଚାଲାଣ ହେଉଛି ବୋଲି ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ । ଏହାପରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫମାନେ ହେଲେ ଲଷ୍ମଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଇକ। ସେମାନଙ୍କ ଘର ବାଇବାଲି ଓ ଘୋଳପୁର। ଏଥିସହ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ସେସବୁକୁ ଗୋ’ଶାଳାରେ ରଖିବା ବ୍ୟବସ୍ଥା କରାଯାଇଛି।
ରିପୋର୍ଟ -ଜେ.କେ ପଟ୍ଟନାୟକ