ଛତ୍ରପୁର,୨୫/୦୬(ପିପିଟି):କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।
ଜୈବିକ କୃଷି ମାଧ୍ୟମରେ କେବଳ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରାଯାଇପାରିବ। ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ମୃତ୍ତିକାର ଉର୍ବରତା ହ୍ରାସ କରିବା ସହ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଥିବାରୁ କୃଷକମାନେ ଜୈବିକ ଚାଷ ଆଡ଼କୁ ଅଗ୍ରସର ହେବା ସମୟର ଆବଶ୍ୟକତା ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ମତପ୍ରକାଶ କରିଥିଲେ।
କର୍ମଶାଳାରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ।
କର୍ମଶାଳାରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ, କୃଷି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବାସନ୍ତୀଲତା ଶିଆଳ,କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର, ହେମନ୍ତ ଦାସ,ଶରତ କୁମାର ଦାସ, ଜୁନମୟୀ ମହାନ୍ତି,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଛତ୍ରପୁର,ଗଞ୍ଜାମ,ରଙ୍ଗେଇଲୁଣ୍ଡା ଏବଂ ପୁରୁଷୋତ୍ତମପୁର ବ୍ଲକରୁ ଶତାଧିକ କୃଷକ ଏହି କର୍ମଶାଳାରେ ଯୋଗଦେଇ ଜୈବିକ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ। କୃଷି ବୈଜ୍ଞାନିକ ଓ କୃଷି ଅଧିକାରୀମାନେ କୃଷକମାନଙ୍କ ସହ ସିଧାସଳଖ ଆଲୋଚନା କରି ବର୍ତ୍ତମାନ ସମୟରେ କିପରି ଜୈବିକ ଚାଷକୁ ଆପଣାଇ ରାସାୟନିକ ଚାଷରୁ ଦୂରେଇ ରହିପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
କୃଷି ଜିଲ୍ଲା ଅଧିକାରୀ ହେମନ୍ତ ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।