ମାଲକାନଗିରି,୧୨/୦୬(ପିପିଟି):ମାଲକାନଗିରି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ ମହାସମାରୋହରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଏହାକୁ ସମାନ୍ତରାଳ ଭାବେ ମାଲକାନଗିରି ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଜନାର ମହତ୍ତ୍ୱ ଉପରେ ଆଲୋକପାତ କରି ବିଧାୟକ ଶ୍ରୀ ମାଡକାମୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ହେଉଛି ଗରିବ ଓ ଅସହାୟ ଶ୍ରେଣୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍ମାର୍ଟ ରାସନ କାର୍ଡ ଏବଂ ସ୍ମାର୍ଟଫୋନ୍ ବଣ୍ଟନ ଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକମାନେ ଡିଜିଟାଲ୍ ସ୍ତରରେ ସଶକ୍ତ ହେବେ ଏବଂ କୌଣସି ବି ହିତାଧିକାରୀ ସେମାନଙ୍କର ହକ୍ରୁ ବଞ୍ଚିତ ହେବେ ନାହିଁ। ଆମେ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ପରିବାର ପାଖରେ ଏହି ସୁବିଧା ପହଞ୍ଚାଇବାକୁ ସଂକଳ୍ପବଦ୍ଧ।”ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା ଉପସ୍ଥିତ ଥିଲେ।
ଜିଲ୍ଲାର ସାମଗ୍ରିକ ପ୍ରଶାସନିକ ପ୍ରସ୍ତୁତି ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, “ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିବା ଏବଂ ଲୋକଙ୍କ ନିକଟରେ ସିଧାସଳଖ ସେବା ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ସ୍ମାର୍ଟଫୋନ୍ ମାଧ୍ୟମରେ ମହିଳାମାନେ ଡିଜିଟାଲ୍ ଦୁନିଆ ସହ ଯୋଡ଼ି ହେବା ସହ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ସୂଚନା ସହଜରେ ପାଇପାରିବେ, ଯାହା ସେମାନଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।
ଏହି ସମାରୋହରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସରାବୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଶେଷରେ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସଫଳତାର ସହ ମଞ୍ଚ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମୋଟ ୧,୫୯,୫୧୧ ପରିବାରର ୫,୧୮,୬୭୯ ଜଣ ସଦସ୍ୟ ପଞ୍ଜୀକୃତ ହୋଇଛନ୍ତି। ସମସ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଛି ଏବଂ ଏଥିପାଇଁ ମାସିକ ମୋଟ ୨୫,୯୩୩.୦୦ କ୍ୱିଣ୍ଟାଲ ଚାଉଳ ବରାଦ କରାଯାଇଛି। ବର୍ତ୍ତମାନ ଏପ୍ରିଲ, ମେ ଏବଂ ଜୁନ୍ ମାସ ପାଇଁ ଏହି ଚାଉଳ ବଣ୍ଟନ ପ୍ରକ୍ରିୟାକୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।ଏହି ଯୋଜନା ଅଧୀନରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନୂତନ ସ୍ମାର୍ଟ ରାସନ କାର୍ଡ ଓ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ସ୍ମାର୍ଟ ରାସନ୍ କାର୍ଡ ମାଧ୍ଯମରେ ହିତାଧିକାରୀ ମାନେ ରାସନ ଦୋକାନରୁ ସେମାନଙ୍କର ଅତିରିକ୍ତ ପ୍ରାପ୍ୟ ସହଜରେ ପାଇପାରିବେ। ଜିଲ୍ଲାରେ ଥିବା ମୋଟ ୧୧୭ ଟି ସୁଲଭ ମୂଲ୍ୟ ଦୋକାନ କେନ୍ଦ୍ର (ଯେଉଁଥିରେ ୧୦୮ ଟି ଗ୍ରାମ ପଞ୍ଚାୟତ କେନ୍ଦ୍ର, ୮ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧ ଟି ମୈତ୍ରୀ ଦୋକାନ ରହିଛି) ମାଧ୍ୟମରେ ଏହି ସେବା ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଯୋଗାଣ, ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବିପୁଳ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)